ପୁଣି ହାଇପ୍ରୋଫାଇଲ୍ ଆସନରେ ହାଇଭୋଲଟେଜ୍ ଟକ୍କର । ଆମେଥିରେ ହୋଇପାରେ ରାହୁଲ-ସ୍ମୃତି ଲଢେଇ, ରାଏବରେଲୀରୁ ଲଢିପାରନ୍ତି ପ୍ରିୟଙ୍କା

151

କନକ ବ୍ୟୁରୋ : ଚଳିତ ନିର୍ବାଚନରେ ଉତରପ୍ରଦେଶର କଂଗ୍ରେସ ଗଡ଼ରେ ଦେଖିବାକୁ ମିଳିବ ମହା ଲଢ଼େଇ । ଆମେଥିରେ ପୁଣି ମୁହାଁମୁହିଁ ହୋଇପାରନ୍ତି ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧି । ବିଜେପି ପକ୍ଷରୁ ସ୍ମୃତିଙ୍କ ନାଁରେ ମୋହର ବାଜି ସାରିଥିବା ବେଳେ ରାହୁଲ ପୁଣି ଥରେ ଆମେଥିିରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ରାହୁଲ ଏଠାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରିଥିବା ବେଳେ ସମାନ ଦିନରେ ଜନସଭା କରି ଲୋକଙ୍କ ନିକଟକୁ ଯାଇଥିଲେ ସ୍ମୃତ ଇରାନୀ । ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ପ୍ରାୟ ୫୫ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ସ୍ମୃତି । ଚଳିତ ନିର୍ବାଚନରେ ବିଜେପି ନିଜ ଆସନ ବଜାୟ ରଖିବାକୁ ଚେଷ୍ଟା ଚଳାଇଥିବା ବେଳେ କଂଗ୍ରେସ ନିଜ ଗଡ଼ ଫେରି ପାଇବାକୁ କଳ ବଳ କୌଶଳ ଲାଗାଇଛି । ସେପଟେ ରାଏବରେଲି ଆସନ ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର । ୨୦୧୯ ନିର୍ବାଚନରେ କଂଗ୍ରେସର ଏହି ଗଡ଼ରେ ବିଜୟ ବାନା ଉଡ଼ାଇଥିଲେ ସୋନିଆ ଗାନ୍ଧୀ । କିନ୍ତୁ ଏଥର ଲୋକସଭା ନ ଲଢ଼ି ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ସୋନିଆ । ତେଣୁ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମିଳିପାରେ ଗଡ଼ ରକ୍ଷାର ଦାୟିତ୍ୱ । ରାଏବରେଲିରୁ ହିଁ ନିଜର ରାଜନୀତି କ୍ୟାରିୟର ଆରମ୍ଭ କରିପାରନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ତେବେ ବିଜେପି ଏଠାରେ କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇନାହିଁ ।