ସଂସଦର ରେକର୍ଡରୁ ହଟିଲା ରାହୁଲ, ମହୁଆଙ୍କ ବୟାନ। ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଦୁଇ ନେତା।

138

କନକ ବ୍ୟୁରୋ: ସଂସଦର ରେକର୍ଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୋଙ୍କ ବୟାନକୁ ହଟାଇଦିଆଯାଇଛି । ଏହା ପରେ କଂଗ୍ରେସ ଅଭିଯୋଗ ଲଗାଇଛି । ଦଳ କହିଛି ଯେ, ଆଦାନୀ ଗ୍ରୁପ ସହ ଜଡିତ ମାମଲାରେ ରାହୁଲ ଗାନ୍ଧୀଙ୍କ ତରଫରୁ କରାଯାଇଥିବା ଟିପ୍ପଣୀ ରେକର୍ଡରୁ ହଟାଇ ଗୃହର ମର୍ଯ୍ୟାଦା ଏବଂ ଲୋକତନ୍ତ୍ରକୁ ଶେଷ କରାଯାଇଛି । ଦଳର ମହାସଚିବ ଜୟରାମ ରମେଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଆଦାନୀ ମହାଦୁର୍ନୀତି ଉପରେ ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ହଟାଯିବା ସହ ଲୋକସଭାରେ ଲୋକତନ୍ତ୍ରର ଦାହସଂସ୍କାର କରିଦିିଆଯାଇଛି, ଓଁମ୍ ଶାନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଦାନୀ ଗ୍ରୁପ ସହ ଜଡିତ ମାମଲାକୁ ଉଦାହରଣ ଦେଇ ମଙ୍ଗଳବାର ଲୋକସଭାରେ ଅଭିଯୋଗ ଲଗାଇଥିଲେ । ୨୦୧୪ରେ କେନ୍ଦ୍ରରେ ବିଜେପି ସରକାରରେ ଆସିବା ପରେ ଏଭଳି ଅସଲି ଯାଦୁ ଚାଲିଲା ଯେ ଆଠବର୍ଷ ଭିତରେ ଉଦ୍ଦ୍ୟୋଗପତି ଗୌତମ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ହୋଇଯାଇଥିଲେ ।

ସେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ବେଳେ ରାହୁଲ ଏଥିରେ ଭାଗ ନେଇଥିଲେ । ସେ ଏହା ମଧ୍ୟ ଦାବି କରିଥଲେ ଯେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ପରିବର୍ତ୍ତନ କରାଯାଇଥିବା ନିୟମ କାରଣରୁ ଅନେକ ବିମାନବନ୍ଦର ଆଦାନୀ ଗ୍ରୁପକୁ ଦିଆଯାଇଛି । ରାହୁଲ ଗାନ୍ଧୀଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅନେକ ଟିପ୍ପଣୀ ପରେ ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶରେ ଏହାକୁ ହଟାଇଦିଆଯାଇଛି ।
ସେପଟେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚାରେ ସାମିଲ ହୋଇଥିଲେ ଟିଏମସି ସାଂସଦ ମହୁଆ ମୈତ୍ରୋ । କେନ୍ଦ୍ର ସରକାରଙ୍କ ଉପରେ ସେ ଜୋରଦାର ବର୍ଷିଥିଲେ । ମହୁଆଙ୍କ ଭାଷଣକୁ ନେଇ ଭାଜପାର ସାଂସଦ ଜୋରଦାର ବିରୋଧ କରିଥିଲେ । ତାଙ୍କର ଏହି ବୟାନକୁ ବର୍ତ୍ତମାନ ପୁଣିଥରେ ହଟାଇଦିଆଯାଇଛି ।