କନକ ବ୍ୟୁରୋ : ପୁଣିଥରେ ଆନ୍ଦୋଳନ ବେଳେ ମୃତ କୃଷକଙ୍କ ପରିବାରକୁ ସହାୟତା ଦାବି କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଯେ ସରକାରଙ୍କ ପାଖରେ ଯଦି ମୃତ କୃଷକଙ୍କର ସୂଚନା ନାହିଁ ତେବେ ମୁଁ ସରକାରଙ୍କୁ ସେମାନଙ୍କର ସୂଚନା ଦେଉଛି । ଏହାକୁ ନେଇ ସରକାର ତୁରନ୍ତ ମୃତ କୃଷକଙ୍କ ପରିବାର ପ୍ରତି ସମବେଦନା ଜଣାଇ ସେମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରନ୍ତୁ ।

Advertisment

ରାହୁଲ ଗାନ୍ଧୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କି, ଚଳିତ ଅଧିବେଶନରେ ଆନ୍ଦୋଳନ କ୍ରମରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପ୍ରଶ୍ନର ଉତ୍ତର ଦେଇ ସରକାରଙ୍କ ପାଖରେ ଏନେଇ ଡାଟା ନଥିବା କଥା କହିଥିଲେ । ହେଲେ ଏହାପରେ କଂଗ୍ରେସ ପକ୍ଷରୁ ଏହା ଉପରେ କାମ କରିବା ଆରମ୍ଭ କରାଯାଇଥିଲା । ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରରଜିତସିଂ ଚନ୍ନିଙ୍କ ପାଖରେ ୪୦୩ ଜଣ ମୃତ କୃଷକଙ୍କର ଡାଟା ରହିଛି । ତାହାକୁ ସରକାର ନେଇ ତୁରନ୍ତ ମୃତ କୃଷକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରନ୍ତୁ ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି କି ଚନ୍ନି ସରକାର ମୃତ ୪୦୩ ଜଣ କୃଷକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । କେବଳ ସେତିକି ନୁହେଁ ମୃତ କୃଷକଙ୍କ ପରିବାରରୁ ୧୫୩ ଜଣଙ୍କୁ ଚନ୍ନି ସରକାର ସରକାରୀ ଚାକିରୀ ଦେଇଛନ୍ତି ଓ ବାକି ହିତାଧିକାରୀଙ୍କୁ ଖୁବଶୀଘ୍ର ଚାକିରୀ ମିଳିବ । ଏହାସହ ରାହୁଲ କହିଥିଲେ କି ଏବେ ଆମେ ୪୦୩ ଜଣ ମୃତ କୃଷକଙ୍କ ଡାଟା ସରକାରଙ୍କୁ ଦେଉଛୁ ବାକି ସରକାର ଏହାକୁ ପର୍ଯ୍ୟବେକ୍ଷଣ କରି ତୁରନ୍ତ ସହାୟତା ପ୍ରଦାନ କରନ୍ତୁ ।

କେବଳ ସହାୟତା ନୁହେଁ କେନ୍ଦ୍ର ସରକାର ଯେଭଳି ଭାବେ କୃଷକଙ୍କୁ ଅପମାନିତ କରୁଛନ୍ତି ତାହାକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି କି ମାତ୍ର ୨/୩ ଜଣ ବ୍ୟବସାୟୀ ବନ୍ଧୁଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଦେଶର ଅନ୍ନଦାତାଙ୍କ ପାଇଁ ଦୁଇମିନିଟ ନିରବ ପ୍ରଥନା କରିବାକୁ ପଛାଉଛନ୍ତି ପ୍ରଧାନମନ୍ତ୍ରୀ ।