ଆମେଥି ଆସନରେ ପ୍ରାର୍ଥୀ ନେଇ କଂଗ୍ରେସରେ ତୁଟୁନି ଦ୍ୱନ୍ଦ୍ୱ । ଚର୍ଚ୍ଚା ବଢାଇଲା ରାହୁଲଙ୍କ ବୟାନ ।

571

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଆମେଥି ଆସନରେ ପ୍ରାର୍ଥୀ ନେଇ କଂଗ୍ରେସରେ ତୁଟୁନି ଦ୍ୱନ୍ଦ୍ୱ । ଏହି ଆସନ ପାଇଁ ବିଜେପି ସ୍ମୃତି ଇରାନୀଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ଗତ ନିର୍ବାଚନରେ କଂଗ୍ରେସର ଏହି ଗଡ଼କୁ ଛଡ଼ାଇ ନେଇଥିଲା ବିଜେପି । ୨୦୦୪ ପରଠାରୁ ଏହି ଆସନରେ ଲଗାତାର ଭାବେ ଜିତି ଆସୁଥିବା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କର କଂଗ୍ରେସ ବିଜୟରେ ବ୍ରେକ ଲଗାଇଥିଲେ ସ୍ମୃତି ଇରାନୀ । ତେବେ ଚଳିତ ନିର୍ବାଚନରେ ପୁଣି ଏହି ଆସନରେ ପୁଣି ରାହୁଲ ଓ ସ୍ମୃତିଙ୍କ ମଧ୍ୟରେ ଦେଖିବାକୁ ମିଳିପାରେ ଲଢ଼େଇ । ଏପ୍ରିଲ ୨୬ରେ ୱାୟନାଡରେ ଭୋଟିଂ ପରେ ରାହୁଲ ଏପ୍ରିଲ ୨୭ରେ ଆମେଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି କିଏ ପ୍ରାର୍ଥୀ ହେବ ତାହା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ନିଷ୍ପତି । ସିଇସି ଏବଂ କଂଗ୍ରେସ ସଭାପତି ଯାହା ନିଷ୍ପତି ନେବେ ସେ ତାହାକୁ ପାଳନ କରିବେ । ରାହୁଲଙ୍କ ଏହି ବୟାନ ପରେ ଏବେ ଏନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।