କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ହେବା ପରେ ରାଜନୀତି ସରଗରମ ରହିଛି । ଉଭୟ ବିଜେପି ଓ କଂଗ୍ରେସ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି । ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମଥର ସଂସଦରେ ପହଞ୍ଚିନ୍ତି । ରାହୁଲ ଗାନ୍ଧୀ ସିପିପି କାର୍ଯ୍ୟାଳୟରେ ଲୋକସଭା ଓ ରାଜ୍ୟସଭାର କଂଗ୍ରେସ ସାଂସଦଙ୍କ ସହ ବୈଠକରେ ସାମିଲ ହୋଇଛନ୍ତି । ସେଠାରେ ପ୍ରାୟ ୨୦ ମିନିଟ୍ ଧରି ରାହୁଲ ରହିଥିଲେ । ପରେ ନିଜ ମା’ ଓ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସହ ସେଠାରୁ ଚାଲିଆସିଥିଲେ । ସେପଟେ ସୁରତ ସେସନ୍ସ କୋର୍ଟଙ୍କ ନିଷ୍ପତିକୁ ଚ୍ୟାଲେଞ୍ଜ କରିବେ ରାହୁଲ ଗାନ୍ଧୀ । ଆଗାମୀ ୪୮ ଘଣ୍ଟା ଭିତରେ ରାହୁଲ ଗାନ୍ଧୀ ସୁରତ କୋର୍ଟରେ ଆବେଦନ ଦାଖଲ କରିବା ନେଇ ସୂଚନା ରହିଛି ।

Advertisment

ଏହାରି ଭିତରେ ରାହୁଲ ଗାନ୍ଧୀ ସାବରକର ବିବାଦକୁ ନେଇ ଶିବସେନା ଉଦ୍ଧବ ଗୋଷ୍ଠୀର ନେତା ସଂଜୟ ରାଉତଙ୍କୁ ଭେଟିଛନ୍ତି । ରାହୁଲ ଓ ସୋନିଆଙ୍କ ସହ ସାକ୍ଷାତ ନେଇ ସଂଜୟ ଟ୍ୱିଟ୍ କରିଛନ୍ତି । ଆଉ ଲେଖିଛନ୍ତି, ସୋନିଆ ଓ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ଏବେ ସବୁକିଛି ଠିକ ଅଛି । ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ । ରାହୁଲ ଗାନ୍ଧୀଙ୍କ ଦ୍ୱାରା ସାବରକର ମନ୍ତବ୍ୟକୁ ନେଇ ମହାବିକାଶ ଅଘାଡ଼ି ମେଣ୍ଟରେ ଅସନ୍ତୋଷ ଦେଖା ଦେଇଥିଲା । ତେବେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ହସ୍ତକ୍ଷେପ ପରେ କଂଗ୍ରେସ ନେତାଙ୍କୁ ଏ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ । ଆଉ ପାୱାରଙ୍କ ବୁଝାସୁଝା ପରେ ରାହୁଲ ପରବର୍ତୀ ସମୟରେ ସାବରକରଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବେ ବୋଲି କହିଛନ୍ତି ।

ରାହୁଲଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ । କଂଗ୍ରେସ ସାଂସଦ ମଣିକମ ଟାଗୋର ବୁଧବାର ଲୋକସଭାରେ ଆଦାନୀ ପ୍ରସଙ୍ଗ ଓ ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ମୁଲତବୀ ଆଗତ କରିଥିଲେ ।