କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ଦିନ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ପହଂଚି ସେଠାରେ କାମ କରୁଥିବା କୁଲିଙ୍କୁ ଭେଟିଥିଲେ । ସେଠାରେ ସେ କୁଲିଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏହି କ୍ରମରେ ରାହୁଲ ଗାନ୍ଧୀ କୁଲିଙ୍କ ନାଲି ଡ୍ରେସ ପିନ୍ଧି କୁଲିଙ୍କ ଭଳି ମୁଣ୍ଡରେ ଲଗେଜ ଉଠାଉଥିବା ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ତରଫରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କୁଲିଙ୍କ ସହ ଆଲୋଚନା କରୁଥିବାର ଭିଡିଓ ମଧ୍ୟ ସେୟାର କରିଛି । ଏଥିରେ ଲେଖାଯାଇଛି କି ଜନନାୟକ ରାହୁଲ ଗାନ୍ଧୀଜୀ ରେଳ ଷ୍ଟେସନରେ ନିଜର କୁଲି ବନ୍ଧୁଙ୍କୁ ଭେଟିଛନ୍ତି । ଏହାସହ ଦଳ ତରଫରୁ ଲେଖାଯାଇଛି କି, କିଛିଦିନ ତଳେ ରେଳ ଷ୍ଟେସନରେ କାମ କରୁଥିବା କୁଲିମାନେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଇଚ୍ଛାବ୍ୟକ୍ତ କରିଥିଲେ । ଏହାକୁ ସମ୍ମାନ ଦେଇ ରାହୁଲ ଗାନ୍ଧୀ କୁଲିମାନଙ୍କ ନିକଟରେ ପହଂଚିଛନ୍ତି । ଏବେ ସୁଦ୍ଧା ଭାରତ ଯୋଡ ଯାତ୍ରା ଜାରି ରହିଛି ବୋଲି କଂଗ୍ରେସ ତରଫରୁ କୁହାଯାଇଛି ।
ସେପଟେ ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ଆଜି ଦିଲ୍ଲୀର ଅ।।ନନ୍ଦ ବିହାର ଟର୍ମିନାଲରେ କାମ କରୁଥିବା କୁଲି ଭାଇଙ୍କ ସହ ଭେଟ ହୋଇଛି । ବହୁତ ଦିନ ଧରି ମନରେ ଇଚ୍ଛାଥିଲା ସେମାନଙ୍କୁ ଭେଟିବାକୁ ଓ ସେମାନେ ସମ୍ମାନର ସହ ମୋତେ ନିମନ୍ତ୍ରଣ କରିଥିଲେ । ତେଣୁ ଦେଶର ଶ୍ରମଜୀବି ଭାଇ ଭଉଣୀଙ୍କ ଇଚ୍ଛା ପୂରଣ କରିବା ମୋର କାମ ବୋଲି ସେ କହିଛନ୍ତି ।
ସୂଚନା ଥାଉକି ଏହା ପୂର୍ବରୁ ରାହୁଲ ଗାନ୍ଧୀ ହଠାତ୍ ଦିଲ୍ଲୀର କରୋଲ ବାଗ ଅଞ୍ଚଳରେ ଥିବା ଏକ ଗାଡି ଗ୍ୟାରେଜରେ ପହଂଚିଥିଲେ । ସେଠାରେ ସେ ମିସ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।