ହରିଆଣା ସୋନିପଥରେ ପହଁଚିଲେ, ଚାଷୀଙ୍କ ସହ ଏକାଠି ମିଶି ତଳି ରୋଇଲେ ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ରାହୁଲଙ୍କ ଭିଡିଓ ଓ ଫଟୋ ଭାଇରାଲ

87

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ହରିଆଣା ସୋନେପଥର ଏକ ଗାଁରେ ହଠାତ ପହଁଚିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ ସହ କଥାବାର୍ତା କରିବା ସହ ସେମାନଙ୍କ ହାଲଚାଲ ପଚାରିବୁଝିଥିଲେ ରାହୁଲ । ଏହା ପରେ ସେ ଏମିତି କିଛି କାମ କଲେ ଯାହାକୁ ଦେଖି ସେଠାରେ ଥିବା ସମସ୍ତେ ବେଶ ଚକିତ ହୋଇପଡିଥିଲେ । କାରଣ କଂଗ୍ରେସ ନେତା ଚାଷୀଙ୍କ ସହ ମିଶି ଧାନ କ୍ଷେତରେ ତଳି ରୋଇଥିଲେ । କେବଳ ସେତିକି ନୁହେଁ ଚାଷୀ ସହ ଏକାଠି ବସି ପାଣିଭର୍ତି ଚାଷ ଜମିରେ ଟ୍ରାକ୍ଟର ଚଳାଇଥିଲେ ରାହୁଲ ଗାନ୍ଧୀ । ଅନ୍ୟପଟେ ନେତାଙ୍କୁ ପାଖରେ ଦେଖିବାକୁ ଆଖପାଖରୁ ଧାଇଁଆସିଥିଲେ ଅନେକ ଲୋକ । ଏଥିସହ ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ଚାଷୀ ଓ ଚାଷୀ ପରିବାରଙ୍କ ସହ ଫଟୋ ଉଠାଥିଲେ ରାହୁଲ । ଦିଲ୍ଲୀରୁ ସିମଲା ଯାଉଥିବା ସମୟରେ ହଠାତ ସୋନେପଥରେ ଅଟକି ଚାଷୀ ସହ କଂଗ୍ରେସ ନେତାଙ୍କ ଏଭଳି କାମକୁ ମିଳୁଛି ବିଭିନ୍ନ ପ୍ରତିକ୍ରିୟା ।

ଭାରତଯୋଡ଼ ଯାତ୍ରାରୁ ରାହୁଲ ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡି ହେବା ଯାତ୍ରା ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ଆମେରିକାରେ ଟ୍ରକ ଡ୍ରାଇଭରଙ୍କୁ ଭେଟି ଟ୍ରକ ଯାତ୍ରା କରିଥିଲେ । ସେହପରି ଦିଲ୍ଲୀରୁ ଚଣ୍ଡିଗଡ ଟ୍ରକ ଯାତ୍ରା କରି ଚର୍ଚ୍ଚାରେ ରହିଥିଲେ ରାହୁଲ । କେବଳ ସେତିକି ନୁହେଁ କେବେ ବାଇକ ଗ୍ୟାରେଜରେ ପହଁଚି ଗାଡି ସଜାଡିଥିଲେ ତ ପୁଣି କେବେ ଦିଲ୍ଲୀ ବଜାରେ ପହଁଚି ସାଧାରଣ ଲୋକଙ୍କ ଗହଣରେ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇଥିଲେ । ଏହି ସବୁ ପଛରେ ଦଳର ଏକ ଲକ୍ଷ୍ୟ ରହିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ଦଳ ଏଣିକି ୨୪ ନିର୍ବାଚନକୁ ଟାର୍ଗେଟ କରିଛି । ତେଣୁ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଁଚି ମଜବୁତ ସର୍ମ୍ପକର ସେତୁ ଯୋଡୁଛି ଦଳ ଓ ଏହାର ମଙ୍ଗ ନିଜେ ରାହୁଲ ଗାନ୍ଧୀ ସମ୍ଭାଳିଛନ୍ତି ।