ରାୟବରେଲୀ ପାଇଁ ରାହୁଲଙ୍କ ନାମାଙ୍କନ ଦାଖଲ । ଆମେଥି ଛାଡ଼ିଲେ ରାୟବରେଲିକୁ ଆସିଲେ ।

99

କନକ ବ୍ୟୁରୋ: ଆଜି ରାୟବରେଲୀକୁ ନେଇ ଖୁବ ଚର୍ଚ୍ଚା । କାରଣ ନାମାଙ୍କନ ଦାଖଲର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଆଶ୍ଚର୍ଯ୍ୟ କରିଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରାୟବରେଲୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରାହୁଲ । ମା ସୋନିଆଙ୍କ ସହ ରାୟବରେଲିରେ ପହଁଚି ଶକ୍ତି ପ୍ରଦର୍ଶନ କରିବା ପରେ ନାମାଙ୍କନ ଭରିଥିଲେ । ବହୁ ଦିନ ଧରି ଏହି ଆସନରୁ କିଏ ଲଢ଼ିବ ତାକୁ ନେଇ ସସ୍ପେନ୍ସ ଲାଗି ରହିଥିବାବେଳେ ଶେଷ ମୁହୁର୍ତରେ ରାହୁଲଙ୍କୁ ରାୟବରେଲିରୁ ଲଢ଼ିବାକୁ ଘୋଷଣା କରିଥିଲା ଏଆଇସିସି ।

ରାୟବରେଲିରେ ବିଜେପିର ଦିନେଶ ପ୍ରତାପ ସିଂହଙ୍କ ସହ ରାହଲୁଙ୍କ ଲଢ଼େଇ ହେବ । କଂଗ୍ରେସ ସମୀକରଣ ଉପରେ ଯଦି ନଜର ପକାଇବା ତେବେ ଦଳ ବେଶ ଭାବିଚିନ୍ତି ରାହୁଲଙ୍କୁ ଆମେଥିରୁ ଆଣି ରାୟବରେଲୀରେ ପ୍ରାର୍ଥୀ କରିଛି । ଆମେଥିରେ ବିଜେପିର ହେଭିୱେଟ ଚେହେରା ସ୍ମୃତି ଇରାନୀଙ୍କଠୁ ପରାଜୟ ଆଶଙ୍କା ଭିତରେ ରାୟବରେଲୀ ପାଇଁ ଟିକେଟ ଦେଇଛି । ଏଠାରେ ବିଜେପି କୌଣସି ହେଭିୱେଟ ଚେହେରା ବଦଳରେ ଦିନେଶ ପ୍ରତାପଙ୍କୁ ପ୍ରାର୍ଥୀ କରିଛି । ରାୟବରେଲୀ ଜନତାଙ୍କ ମନରେ ଦୀର୍ଘଦିନ ହେବ ସୋନିଆ ମଜଭୁତ ସ୍ଥାନ ବନାଇବା ପରେ ଏବେ ରାହୁଲଙ୍କୁ ସେହି ସ୍ଥାନରୁ ଦଳ ଛିଡା କରିଛି । ଏଭଳି ସ୍ଥିତିରେ କଂଗ୍ରେସ ପାଖକୁ ଅନୁକମ୍ପା ଭୋଟ ଅଧିକ ଆସିବା ସମ୍ଭାବନା ରହିଛି ।

୧୯୫୧ରୁ ରାୟବରେଲିକୁ ଆସନରେ ଗାନ୍ଧୀ ପରିବାରର ସଦସ୍ୟ ଲଢ଼ିଆସୁଛନ୍ତି, ଆଉ କେବଳ ୩ ଥର ଏହି ଆସନରୁ ଗାନ୍ଧୀ-ନେହେରୁ ପରିବାରର କୌଣସି ସଦସ୍ୟ ନିର୍ବାଚନ ହାରିଛି । ଏପରି ସ୍ଥିତିରେ ରାୟବରେଲିକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ । ହେଲେ ଗତ କିଛି ବର୍ଷରେ ରାୟବରେଲିରେ କଂଗ୍ରେସ ପ୍ରତି ସମର୍ଥନ କମୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି କଂଗ୍ରେସ ସମର୍ଥନରେ ମିଳୁଥିବା ଭୋଟ୍ ପ୍ରତିଶତ କମିଛି । ୨୦୦୯ରେ ରାୟବରେଲିରେ କଂଗ୍ରେସ ପ୍ରତି ସମର୍ଥନ ୭୨ ପ୍ରତିଶତ ଥିବା ବେଳେ ୨୦୧୪ ବେଳକୁ ଏହା ୬୩ ପ୍ରତିଶତକୁ କମିଯାଇଥିଲା । ପୁଣି ୨୦୧୯ ବେଳକୁ ଏହି ସମର୍ଥନ କମି ୫୫ ପ୍ରତିଶତକୁ ଆସିଯାଇଥିଲା । ଅନ୍ୟପଟେ ଉତର ପ୍ରଦେଶରେ ଏବେ ଯୋଗୀରାଜ ଚାଲିଛି । ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ଖୁବ୍ ଅଧିକ । ଏହାର ପ୍ରଭାବ ରାଏବରେଲିରେ ପଡ଼ିବାର ସମ୍ଭାବନା ରହିଛି । ଏପରି ସ୍ଥଳେ କଂଗ୍ରେସ ରାଏବରେଲି ଆସନ ପାଇଁ ରାହୁଲଙ୍କୁ ସୁରକ୍ଷିତ ଚେହେରା ମଣି ପ୍ରାର୍ଥୀ କରିଛି ।