ଭଉଣୀ ପ୍ରିୟଙ୍କାଙ୍କୁ ସାଥୀରେ ନେଇ ୱାୟନାଡ ଆସନରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ । କହିଲେ, ଆପଣଙ୍କ ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ ।

178

କନକ ବ୍ୟୁରୋ : କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ସୋ କରିବା ପରେ ନାମାଙ୍କନ ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ । ରୋଡ ସୋ’ ଓ ନାମାଙ୍କନପତ୍ର ଦାଖଲ ସମୟରେ ରାହୁଲଙ୍କ ସାଥୀରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା ।

ନାମାଙ୍କନପତ୍ର ଦାଖଲ ପୂର୍ବରୁ ରାହୁଲ ଗାନ୍ଧୀ କହିଛନ୍ତି, ୱାୟନାଡରୁ ସାଂସଦ ହେବା ମୋ ପାଇଁ ଗର୍ବର ବିଷୟ । ଏଠାରେ ଅନେକ ସମସ୍ୟା ରହିଛି । ସବୁ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ । ଯେତେବେଳେ କେନ୍ଦ୍ର ଓ କେରଳରେ ଆମ ସରକାର ହେବ ସେତେବେଳେ ସବୁ ସମସ୍ୟାର ସମାଧାନ ହୋଇପାରିବ । ବିଚାରଧାରା ଭିନ୍ନ ହୋଇଥିଲେ ମଧ୍ୟ ୟୁଡିଏଫ ଏବଂ ଏଲଡିଏଫ ମୋ ପରିବାର ଭଳି । ଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଶିଖିବାକୁ ମିଳିଛି ।

ଗତ ନିର୍ବାଚନରେ ରାହୁଲ ପାଖାପାଖି ୫ ଲକ୍ଷ ଭୋଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲେ । ଏଥର କିନ୍ତୁ ୱାୟନାଡ ମ୍ୟାଚ୍ ରାହୁଲ ଗାନ୍ଧୀଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନ୍ନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି । ରାହୁଲଙ୍କ ବିପକ୍ଷରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତା ୨୬ ଏପ୍ରିଲରେ ୱାୟନାଡ ଆସନରେ ମତଦାନ ହେବ ।