ସୁପ୍ରିମକୋର୍ଟରୁ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି । ବିଦେଶୀ ନାଗରିକକୁ ନେଇ ମାମଲା ହୋଇଥିଲା ରୁଜୁ

ନାଗରିକତା ବିବାଦ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି

85

କନକ ବ୍ୟୁରୋ : ନାଗରିକତା ବିବାଦ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ରାହୁଲଙ୍କ ନାଗରିକତା ନେଇ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ପାଖରେ ବିଦେଶୀ ନାଗରିକତ୍ୱ ରହିଛି, ତେଣୁ ତାଂକୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯିବାକୁ ଦାବି କରି ଏହି ଆବେଦନ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଶୁଣାଣି ବେଳେ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୩ ଜଣିଆ ବେଂଚ ଏହି ନିଷ୍ପତି ନେଇଛନ୍ତି । ଏହି ୩ ଜଣିଆ ବେଂଚରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ସଂଜୀବ ଖାନ୍ନା ସଦସ୍ୟ ରହିଥିଲେ ।

ଏହି ଆବେଦନରେ କୌଣସି ମେରିଟ୍ ନଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି ବେଂଚ । ଗତ ସପ୍ତାହରେ ନାଗରିକତା ପ୍ରସଂଗରେ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ପଠାଇଥିଲା ଗୃହ ମନ୍ତ୍ରଣାଳୟ । ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଏହି ନୋଟିସ୍ ପଠାଯାଇଥିଲା । ସ୍ୱାମୀ ଅଭିଯୋଗ କରିଥିଲେ ଯେ, ରାହୁଲଙ୍କ ପାରେ ବ୍ରିଟିସ୍ ନାଗରିକତା ରହିଛି । ବ୍ରିଟେନରେ ଏକ କମ୍ପାନୀର କାଗଜପତ୍ରରେ କଂଗ୍ରେସ ଅଧ୍ୟକ୍ଷ ନିଜକୁ ବ୍ରିଟେନ୍ ନାଗରିକତା ଦର୍ଶାଇଥିବା ସ୍ୱାମୀ ଅଭିଯୋଗ କରିଥିଲେ । ତେବେ କଂଗ୍ରେସ ଏହାକୁ ବିଜେପିର ଷଡ଼ଯନ୍ତ୍ର ଓ ମିଛ ଅଭିଯୋଗ କହିଥିଲା ।