ମହଙ୍ଗା ପଡିଲାକି ‘ଚୌକିଦାର ଚୌର୍ ହେ’ ନାରା ? ପରାଜୟ ପରେ କାରଣ ଖୋଜୁଛି କଂଗ୍ରେସ । ବସୁଛି ବୈଠକ, ଚାଲିଛି ମାନସ ମନ୍ଥନ ।

253

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବଡ ପରାଜୟ ପରେ, ପରାଜୟର କାରଣ ଖୋଜୁଛି କଂଗ୍ରେସ । ବସୁଛି ବୈଠକ, ଚାଲିଛି ମାନସ ମନ୍ଥନ । ଆଉ ଏହାରି ଭିତରେ ଚର୍ଚ୍ଚା ହେଉଛି, ନିର୍ବାଚନୀ ରଣାଙ୍ଗନରେ ଯେଉଁ ନାରା ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଇଦାନକୁ ଓହ୍ଲାଇଥିଲେ, ତାହା ହିଁ କଂଗ୍ରେସକୁ ସୁହାଇଲା ନାହିଁ । ଆଉ ସେହି ନାରା ଥିଲା ‘ଚୌକିଦାର ଚୌର୍ ହେ’ ।

ଜନସଭା ହେଉ କିମ୍ବା କୌଣସି ନିର୍ବାଚନୀ ରାଲି, ପ୍ରତ୍ୟେକ୍ଷରେ କିମ୍ବା ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରିବାକୁ ଭୁଲିଯାଉନଥିଲେ କଂଗ୍ରେସ ଅଧ୍ୟକ୍ଷ । ପ୍ରତିଟି ଜନସଭାରେ ମୋଦିଙ୍କୁ ଟାର୍ଗେଟ୍ କରି ‘ଚୌକିଦାର ଚୌର୍ ହେ’ ନାରା ଦେଉଥିଲେ ରାହୁଲ ଗାନ୍ଧି । ତେବେ କୁହାଯାଉଛି ରାହୁଲଙ୍କ ଏହି ନାରା ହୁଏତ, ଜନସାଧାରଣଙ୍କ ଦ୍ୱାରା ଗ୍ରହଣ କରାଗଲାନି । ଆଉ ଯେଉଁଥିପାଇଁ କଂଗ୍ରେସକୁ ବଡ ପରାଜୟର ସାମ୍ନା କରିବାକୁ ପଡିଲା ।

କୁହାଯାଉଛି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ଚୌକିଦାର ଚୌର୍ ହେ’ ନାରାକୁ କାଉଣ୍ଟର କରିବାକୁ ଯାଇ ଦେଶବାସୀଙ୍କ ଆଗରେ ରାଷ୍ଟ୍ରବାଦର ଯେଉଁ ବର୍ଣ୍ଣନା ମୋଦୀ ରଖିଥିଲେ, ସେଥିରେ ଏପରି ମୋହନୀ ଶକ୍ତି ଥିଲା ଚୁମ୍ବକ ଭଳି ଲୋକଙ୍କୁ ଯୋଡି ଦେଇଥିଲା ତାଙ୍କ ସହ । ଆଉ ତା’ର ପ୍ରମାଣ ହେଉଛି ମୋଦୀଙ୍କ ପ୍ରତି ପ୍ରଚଣ୍ଡ ଜନସମର୍ଥନ ।

ଆଉ ଅନ୍ୟପଟେ ପୁଲୱାମା ଆକ୍ରମଣ ଆଉ ଏହା ପରେ ପରେ ବାଲାକୋଟରେ ଭାରତର ସର୍ଜିକାଲ ଷ୍ଟ୍ରାଇକ୍ ସତେ ଯେମିତି, ମୋଦିଙ୍କ ଭାଗ୍ୟ ବଦଳାଇଦେଲା । ମାତ୍ର ୫ ମାସ ଆଗରୁ ରୋଜଗାର, ବିକାଶ, ବିମୁଦ୍ରାକରଣ ଓ ଜିଏସଟି ଭଳି ପ୍ରସଙ୍ଗରେ ପଛରେ ପଡିଯାଇଥିଲା ବିଜେପି । ଏପରିକି ତାଙ୍କର ଗଡ ରହିଥିବା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସରକାର ମଧ୍ୟ ବଂଚାଇପାରିନଥିଲେ । କିନ୍ତୁ ପାକିସ୍ତାନ ବିପକ୍ଷରେ ସର୍ଜିକାଲ ଷ୍ଟ୍ରାଇକ, ସାରାଦେଶରେ ମୋଦିଙ୍କ ଏକ ନୂଆ ଛବି ସୃଷ୍ଟି କଲା । ୨୬-୧୧ ଆକ୍ରମଣ ପରେ କଂଗ୍ରେସ ସରକାର ସମୟରେ ଚୁପ୍ ରହିିଥିବା ଭାରତ, ମୋଦିଙ୍କ ସମୟରେ କିନ୍ତୁ ବୀର ଆଚରଣ ଦେଖାଇଲା । ବୋଧହୁଏ, ଏହା ଦେଶବାସୀଙ୍କ ମୁଡରେ ଏକ ବଡ ପରିବର୍ତନ ଆଣିଲା ।