ଅଧ୍ୟକ୍ଷ ଆସନ ଛାଡିବା ଜିଦରେ ଅଟଳ ରାହୁଲ, ସେପଟେ କଂଗ୍ରେସ ଖୋଜୁଛି ନୂଆ ନେତା । ବିକଳ୍ପ ନ ମିଳିବା ଯାଏଁ ଦାୟିତ୍ୱ ତୁଲାଇବାକୁ ରାଜି ହେଲେ ରାହୁଲ ।

213

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବଡ ଝଟକା ପରେ କଂଗ୍ରେସରେ ସମସ୍ୟା ବଢିବାରେ ଲାଗିଛି । ସଭାପତି ପଦ ଛାଡିବାକୁ ରାହୁଲ ଗାନ୍ଧି ଅଡିବସିଥିବା ବେଳେ ତାଙ୍କୁ ମନାଇବା ପାଇଁ ଉଦ୍ୟମ ଜାରି ରହିଛି । ମିଳିଥିବା ଖବର ଅନୁସାରେ, କିଛି ସର୍ତ୍ତ ସହ ବର୍ତମାନ ପାଇଁ ସଭାପତି ରହିବେ ରାହୁଲ ଗାନ୍ଧି । ଆଜି ସକାଳେ ଏନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରଣଦୀପ ସୁରେଜୱାଲା । ରାହୁଲଙ୍କୁ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ଦଳକୁ ବିକଳ୍ପ ମିଳିନାହିଁ । ତେଣୁ ସେ ନିଜ ଇଚ୍ଛା ଅନୁସାରେ ଦଳରେ ଯାହା ବି ପରିବର୍ତନ କରିପାରିବେ । ଯେଭଳି ଚାହିଁଲେ ସେଭଳି ଦଳ ଚଳାଇପାରିବେ ।

ଏହା ପରେ ରାହୁଲ ଗାନ୍ଧି ନିଜ ଆଭିମୁଖ୍ୟରେ ନରମ ମନୋଭାବ ପୋଷଣ କରିପାରିବା ଆଶା କରାଯାଉଛି । ପ୍ରିୟଙ୍କା ଗାନ୍ଧିଙ୍କ ସହ ଅହମ୍ମଦ ପଟେଲଙ୍କ କିଛି ରାଉଣ୍ଡ ବୈଠକରେ ପରେ ଏ ନେଇ ସହମତି ହୋଇଛି । ଲୋକସଭା ନିର୍ବାଚନରେ ଖରାପ ଫଳାଫଳ ପରେ କଂଗ୍ରେସ କାର୍ଯ୍ୟକାରିଣୀରେ ରାହୁଲ ଗାନ୍ଧି ଇସ୍ତଫା ବିଷୟରେ ଘୋଷଣା କରିଥିଲେ । ପରେ ତାଙ୍କୁ ମନେଇବାକୁ ଉଦ୍ୟମ ହୋଇଥିଲେ ବି ସେ ଇସ୍ତଫା ଜିଦରେ ଅଟଳ ରହିଥିଲେ । ଏପରିକି ସେ ନବନିର୍ବାଚିତ ସାଂସଦଙ୍କୁ ଦେଖା ବି କରିନଥିଲେ । ସେପଟେ ଶୋଚନୀୟ ପରାଜୟ ପରେ ବିଭିନ୍ନ ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଜାରି ରହିଛି । ୟୁପି, ଓଡିଶା ଓ ମହାରାଷ୍ଟ୍ର ପରେ ଆଉ ୩ ରାଜ୍ୟର କଂଗ୍ରେସ ମୁଖ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପଞ୍ଜାବ, ଆସାମ ଓ ମହାରାଷ୍ଟ୍ରର ପିସିସି ସଭାପତି ନିଜ ପଦରୁ ଇସ୍ତଫା ଦେଇଛନ୍ତି ।