ମାନହାନି ମାମଲାରେ ସୁରତ ସେସନ୍ କୋର୍ଟ ୨ ବର୍ଷ ଦଣ୍ଡାଦେଶ କରିଥିବାରୁ ବଢ଼ିଲା ଅଡ଼ୁଆ । ଦୋଷୀ ସାବ୍ୟସ୍ତ ହେଲେ ହରାଇପାରନ୍ତି ଲୋକସଭା ସଦସ୍ୟତା

118

କନକ ବ୍ୟୁରୋ : ଚାରିବର୍ଷ ତଳେ କଂଗ୍ରେସ ରାହୁଲ ଗାନ୍ଧୀ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯେଉଁଥି ପାଇଁ ତାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି । ତେବେ ଜେଲ୍ ପରେ ତାଙ୍କୁ ତୁରନ୍ତ ବେଲ୍ ମିଳିଯାଇଛି । ଗୁଜରାଟର ସୁରତ ସେସନ କୋର୍ଟ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ତାଙ୍କୁ ୧୦ହଜାର ମୁଚାଲିକା ଆଧାରରେ ତାଙ୍କୁ ଜାମିନ୍ ମିଳିଛି । ତେବେ ଏହାରି ଭିତରେ ଗୋଟିଏ ବଡ଼ କଥା ସାମ୍ନାକୁ ଆସୁଛି ଯେ ରାହୁଲ ତାଙ୍କର ପାର୍ଲାମେଣ୍ଟ ସଦସ୍ୟତା ହରାଇ ପାରନ୍ତି । ତେବେ ତାଙ୍କୁ ଆବେଦନ ପାଇଁ ୩୦ ଦିନ ସମୟ ମିଳିଛି । ଏଭଳି ସ୍ଥିତିରେ ହାଇକୋର୍ଟରେ ଅପିଲ ଆଧାରରେ ଯଦି ଦଣ୍ଡାଦେଶରେ ରୋକ୍ ଲଗାଯାଏ, ତେବେ ତାଙ୍କ ସଦସ୍ୟତା ଉପରେ ଆଞ୍ଚ ଆସିବ ନାହିଁ ।

୨୦୧୯ରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି ରାହୁଲ ‘ମୋଦୀ ସରନେମ’କୁ ନେଇ କିଛି ବିବାଦୀୟ ବୟାନ ଦେଇଥିଲେ । କହିଥିଲେ, ସବୁ ଚୋରଙ୍କ ନାଁ ମୋଦୀ କାହିଁକି ରଖାଯାଏ? ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନୀରବ ମୋଦୀ, ଲଲିତ ମୋଦୀଙ୍କ ନାଁ ନେଇଥିଲେ । ରାହୁଲଙ୍କ ଏହି ବୟାନକୁ ନେଇ ଖୁବ୍ ବିବାଦ ହୋଇଥିଲା । ଯାହା ପରେ ବିଜେପି ବିଧାୟକ ଓ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଏକ ମାନହାନୀ ମୋକଦ୍ଦମା ଦାୟର କରିଥିଲେ । କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ବୟାନ ପୂରା ମୋଦୀ ସମାଜ ପାଇଁ ଅପମାନଜନକ ଏବଂ ଏହାଦ୍ୱାରା ପୂରା ମୋଦୀ ସମାଜ ବଦନାମ ହୋଇଛନ୍ତି ।

ସେପଟେ କୋର୍ଟଙ୍କ ନିଷ୍ପତି ପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବାଡ୍ରା । ଟ୍ୱିଟ୍ କରି ରାହୁଲ କହିଛନ୍ତି, ‘ସତ୍ୟ ମୋର ଭଗବାନ’ । ଏହାସହ ଆଉଏକ ଟ୍ୱିଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ ପଂକ୍ତି ଶେୟାର କରି ଲେଖିଛନ୍ତି, ମୋ ଧର୍ମ ସତ୍ୟ ଓ ଅଂହିସା ଉପରେ ଆଧାରିତ । ସତ୍ୟ ମୋର ଭଗବାନ । ଏହାକୁ ହାସଲ କରିବାର ବାଟ ହେଉଛି ଅହିଂସା । ସେହିପରି ପ୍ରିୟଙ୍କା ଟ୍ୱିଟ୍ କରି ଲେଖିଛନ୍ତି, କ୍ଷମତାସୀନ ସରକାର କଳ, ବଳ ଲଗାଇ ରାହୁଲ ଗାନ୍ଧୀଙ୍କୁ ସ୍ୱରକୁ ଚପାଇବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ମୋ ଭାଇ ସତ କହିବାକୁ କେବେ ଡରିବେ ନାର୍ହି    । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ଯେ, ଆମର ଆଇନ୍ ଉପରେ ବିଶ୍ୱାସ ଅଛି । ସେହିପରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଅସ୍ତ୍ରର ଆକ୍ରମଣରୁ ଶବ୍ଦର ଆକ୍ରମଣ ଅଧିକ କଷ୍ଟଦାୟକ । ଆଉ ଯେତେବେଳେ ଜଣେ ବାରମ୍ବାର ମିଥ୍ୟା କହିଥାଏ, ତାହା ଆହୁରି ଯନ୍ତ୍ରଣାଦାୟକ ହୋଇଥାଏ ।

ରାହୁଲ ଗାନ୍ଧୀଙ୍କ ଉପରେ ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯଦିଓ ରାହୁଲଙ୍କୁ ୩୦ ଦିନ ପାଇଁ କୋର୍ଟରୁ ଆଶ୍ୱସ୍ତି ମିଳିଛି, କିନ୍ତୁ ଆଗକୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିବ ନା ନାହିଁ, ତା’ ଉପରେ ସମସ୍ତଙ୍କ ନଜର ।