ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନ । ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋର କହିବା ପରେ ରାହୁଲଙ୍କ ନାଁରେ ମାମଲା ରୁଜୁ

83

କନକ ବ୍ୟୁରୋ : ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ସମୟରେ ହିଂସାକୁ ଉସୁକାଉଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୋଲି ଅଭିଯୋଗ ଆଣିଛି ବିଜେପି । ଆସାମ ଏକ ଶାନ୍ତିପ୍ରିୟ ରାଜ୍ୟ ହୋଇଥିବା ବେଳେ ରାହୁଲ ଗାନ୍ଧୀ ଏଠାରେ ଅଶାନ୍ତି ସୃଷ୍ଟି କରୁଥିବା କହିଛି ଦଳ । ନ୍ୟାୟ ଯାତ୍ରା ସମୟରେ ହିସାଂ ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନଙ୍କ ନାଁରେ ଆସାମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ମଙ୍ଗଳବାର କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମ ଗୌହ୍ୱାଟୀରେ ପହଁଚିଥିବା ବେଳେ ପୋଲିସ ଏହାକୁ ଅଟକାଇଥିଲା । ପରେ ପୋଲିସ ସହ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହେବା ସହ ପରିସ୍ଥିତି ଅଣାୟତ ହୋଇଥିଲା । ବ୍ୟାରିକେଡ ଭାଙ୍ଗି କଂଗ୍ରେସ କର୍ମୀ ମାନେ ସହର ଭିତରକୁ ପ୍ରବେଶ ଉଦ୍ୟମ କରିବା ବେଳେ ଲାଠିମାଡ କରିଥିଲା ପୋଲିସ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶରେ ରାହୁଲ ଗାନ୍ଧୀଙ୍କ ସମେତ କେସି ବେଣୁ ଗୋପାଳ, କହ୍ନେୟା କୁମାର ଏବଂ ଅନ୍ୟ ନେତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ବିଜେପି ପକ୍ଷରୁ ରାହୁଲଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଯିଏ ହିଂସାକୁ ଉସୁକାଇବ ତା ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ଦଳ ।

ଭାରତ ଯୋଡ ନ୍ୟାୟ ଯାତ୍ରା ୧୧ଦିନରେ ପହଁଚିଥିବା ବେଳେ ବାରପେଟା ଠାରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଅଭିଯୋଗ ଆଣି କହିଛନ୍ତି , ହିମନ୍ତ ବିଶ୍ୱଶର୍ମା ଦେଶର ସବୁଠୁ ଭ୍ରଷ୍ଟ ଓ ଦୁର୍ନୀତିଖୋର ମୁଖ୍ୟମନ୍ତ୍ରୀ, ଅମିତ୍ ଶାହାଙ୍କ ହାତର କଣ୍ଢେଇ ସାଜି ତାଙ୍କ ନିର୍ଦ୍ଦେଶରେ ହିଁ ସେ କାମ କରିଥାନ୍ତି । ହିସାଂ ପାଇଁ ଉସୁକାଇବା ବାହାନାରେ ୨୫ରୁ ୨୫ ମାମଲା ରୁଜୁ କଲେ ବି ତାଙ୍କୁ କିମ୍ବା କଂଗ୍ରେସ କର୍ମୀଙ୍କୁ କୌଣସି ଫରକ ପଡିବନି ବୋଲି ରାହୁଲ କହିଛନ୍ତି । ସେପଟେ, ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଏଆଇସିସି ଅଧ୍ୟକ୍ଷ ।

ଜାନୁଆରୀ ୧୪ରୁ ମଣିପୁର ଥୈବାଲରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନରେ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ୬, ୭୧୩ କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ଦଳ ।