କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ସୁରଟ କୋର୍ଟ ଶୁଣାଇଥିବା ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି ଚୂଡାନ୍ତ ମାମଲା ନଆସିବା ଯାଏ ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ସ୍ଥଗିତ ରହିବ । ଏହି ଖବର ଏବେ ସାରା ଦେଶର କଂଗ୍ରେସ ପ୍ରେମୀଙ୍କ ମଧ୍ୟରେ ପୁଣି ଉତ୍ସାହ ଭରି ଦେଇଛି । ହେଲେ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସାଂସଦ ପଦ ଫେରିପାଇବେ କି ନାହିଁ ଏନେଇ ଏବେ ପ୍ରଶ୍ନ ଉଠିଛି । ଯଦି ସାଂସଦ ପଦ ଫେରିପାଇବେ ତେବେ କେତେ ଦିନ ଲାଗିବ ତାହା ମଧ୍ୟ ପ୍ରଶ୍ନବାଚୀ ।

Advertisment

ଋାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦଣ୍ଡବିଧାନ କରିବା ପରେ ତୁରନ୍ତ ଲୋକସଭା ସଚିବାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇ ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ରଦ୍ଦ କରାଯାଇଥିଲା । ଏହାପରେ ତାଙ୍କୁ ମିଳିଥିବା ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ ନୋଟିସ କରାଯାଇଥିଲା । ହେଲେ ଏବେ ସୁପ୍ରିମକୋର୍ଟ ତାଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଉପରେ ରୋକ୍ ଲଗାଇବା ପରେ ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କ ଉପରେ ଜାରି କରାଯାଇଥିବା ପୁରୁଣା ଅଧିସୂଚନା ପ୍ରତ୍ୟାହାର କରାଯାଇ ପୁଣି ନୂଆ ଅଧିସୂଚନା ଜାରି କରାଯିବ । ହେଲେ ଏହା କେତେ ସମୟ ଲାଗିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହୁଏତ ଗୋଟିଏ ଦିନ ମଧ୍ୟରେ ନୂଆ ଅଧିସୂଚନା ଜାରି କରାଯାଇପାରେ କିମ୍ବା ଗୋଟିଏ ମାସ ମଧ୍ୟ ଲାଗିପାରେ ।

ଋାହୁଲ ଗାନ୍ଧୀ ସାଂସଦ ପଦ ଫେରିପାଇବା ନେଇ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି କି, ଆଜି ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡବିଧାନ ଉପରେ ରୋକ୍ ଲଗାଇବା ପରେ ରାହୁଲ ଗାନ୍ଧୀଙ୍କ ପାଇଁ ସାଂସଦ ପଦ ଫେରିପାଇବାର ରାସ୍ତା ଖୋଲି ଯାଇଛି ।