କନକ ବ୍ୟୁରୋ: “କୁହାଯାଉଛି ନରେନ୍ଦ୍ର ମୋଦୀ ୟୁକ୍ରେନ୍-ରୁଷ ଯୁଦ୍ଧ ରୋକିଦେଲେ । ଇସ୍ରାଏଲ ଆଉ ଗାଜା ଭିତରେ ଚାଲିଥିବା ଯୁଦ୍ଧ ରୋକିଦେଲେ । ହେଲେ କୌଣସି ନା କୌଣସି କାରଣରୁ ଦେଶରେ ଯେଉଁ ପେପର ଲିକ୍ ହେଉଛି, ତାକୁ କିନ୍ତୁ ନରେନ୍ଦ୍ର ମୋଦୀ ରୋକିପାରୁନାହାଁନ୍ତି । ନା ପେପର ଲିକକୁ ରୋକିବାକୁ ଚାହୁଁନାହାଁନ୍ତି?”, ଗୁରୁବାର ପେପର ଲିକ୍ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି ଏଭଳି ଢଙ୍ଗରେ ସିଧା ନିଶାନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।

Advertisment

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ନେଇ ଦେଶରେ ଚର୍ଚ୍ଚା ଥମିନଥିବା ବେଳେ, ବୁଧବାର ୟୁଜିସି ନେଟ୍ ପରୀକ୍ଷାକୁ ମଧ୍ୟ ରଦ୍ଦ ଘୋଷଣା କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଆଉ ଏ ଦୁଇଟି ପରୀକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ଦଳର ସାଂସଦ ରାହୁଲ ଗାନ୍ଧୀ ଆଜି ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବା ସହିତ ଖାସ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀର ମାରିଛନ୍ତି ।

ରାହୁଲ କହିଛନ୍ତି, ସେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବେ । ଯିଏ ବି ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ପ୍ରବେଶିକା ପରୀକ୍ଷାର ପେପର ଲିକ୍ କରିଛି, ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଶିକ୍ଷଣୀୟ ସଂସ୍ଥା ଉପରେ ବିଜେପି ଏବଂ ସଂଘ ସହ ଜଡିତ ଥିବା ଲୋକମାନେ କବଜା କରୁଛନ୍ତି । ଯେବେ ପର୍ଯ୍ୟନ୍ତ ଏହି କଥା ବଦଳିବନି, ସେତେ ପର୍ଯ୍ୟନ୍ତ ପେପରଲିକ୍ ବନ୍ଦ ହେବନି ବୋଲି ରାହୁଲ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ରାହୁଲ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାର କଥା ଉଲ୍ଲେଖ କରିବା ସହ କହିଛନ୍ତି, ଏହି ଯାତ୍ରା ସମୟରେ ଛାତ୍ରମାନେ ତାଙ୍କୁ ପେପର ଲିକ୍ ନେଇ ଅଭିଯୋଗ କରିଥିଲେ । ଛାତ୍ରମାନଙ୍କ ଉପରେ ଏବେ ବହୁତ ଚାପ ରହିଛି । ତାଙ୍କୁ ବେରୋଜଗାରୀର ସାମ୍ନା କରିବାକୁ ପଡୁଛି । ଯୁବବର୍ଗଙ୍କ ପାଖରେ ଆଗକୁ ବଢିବାର କୌଣସି ରାସ୍ତା ନାହିଁ । ବର୍ତ୍ତମାନ ଏହା ଏକ ଗମ୍ଭୀର ସଙ୍କଟ ଭାବେ ଦେଖାଦେଇଛି ବୋଲି ରାହୁଲ କହିଛନ୍ତି ।