ମଣିପୁର ହିଂସା ଥମୁନଥିବାବେଳେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳା । ମଣିପୁରରେ ଲୋକଙ୍କ ଭଲମନ୍ଦ ବୁଝିଲେ ରାହୁଲ ଗାନ୍ଧୀ

322

କନକ ବ୍ୟୁରୋ : ଦୁଇଦିନିଆ ମଣିପୁର ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ପହଁଚି ଦୀର୍ଘ ଦିନ ଧରି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଲାଗିରହିଥିବା ସଂଘର୍ଷ ଯୋଗୁଁ ଅଶାନ୍ତ ଥିବା ମଣିପୁରର ସ୍ଥିତି ପରଖିଛନ୍ତି । ତେବେ ହିଂସା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଚୁରାଚାନ୍ଦପୁରରେ ବିଭିନ୍ନ କ୍ୟାମ୍ପ ବୁଲି ଲୋକଙ୍କ ବୁଝିଛନ୍ତି ରାହୁଲ । ଏହି ସମୟରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଯୁବତୀ ଆସି ରାହୁଲଙ୍କ ନିକଟରେ କାନ୍ଦିବା ସହ ତାଙ୍କୁ ଦୁଃଖ ଜଣାଇଛନ୍ତି । ରାହୁଲ ଗାନ୍ଧୀ ଭାବ ବିହ୍ୱଳ ହେବାସହ ତାଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଉଛନ୍ତି । ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ସହ କ୍ୟାମ୍ପରେ ଥିବା ପିଲାଙ୍କ ସହ ଭୋଜନ କରିଥିଲେ । ରିଲିଫ କ୍ୟାମ୍ପରେ ଥିବା ଅଧିକାରୀଙ୍କ ସହ ମଧ୍ୟ ରାହୁଲ ଆଲୋଚନା କରିଛନ୍ତି । ଅନ୍ୟପଟେ ଗସ୍ତର ପ୍ରଥମ ଦିନରେ ରାହୁଲ ଗାନ୍ଧୀଙ୍କ କାରକେଡକୁ ରୋକାଯିବା ନେଇ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ ।

ରାହୁଲଙ୍କ କାରକେଡ଼କୁ ଅଟକାଇବାକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ବିଜେପି ନେତୃତ୍ୱାଧୀନ ସରକାର ରାହୁଲଙ୍କ ମଣିପୁର ଗସ୍ତ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ କହିଛି । ଅନ୍ୟପଟେ ରାହୁଲଙ୍କ ସୁରକ୍ଷା କାରଣରୁ ତାଙ୍କୁ ସଡ଼କ ପଥରେ ଯିବାକୁ ମନା କରାଯାଇଥିଲା । ଏବଂ ହେଲିକପ୍ଟରରେ ଯିବାକୁ ଅନୁମତି ଦିଆଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ରାହୁଲଙ୍କ କାରକେଡକୁ ରୋକାଯିବା ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ଓ ଏହା ଗଣତାନ୍ତ୍ରିକ ନିୟମକୁ ଉଲଘଂନ କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି । ସେପଟେ ଏହାକୁ ନେଇ ବିଜେପି ରାଷ୍ଟ୍ରୀ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ରାହୁଲ ଗାନ୍ଧୀ ଏତେ ଦାୟିତ୍ୱହୀନ ହେବା ଉଚିତ ନୁହେଁ । ସେ ସମ୍ବେଦନଶୀଳ ପ୍ରସଙ୍ଗକୁ ବୁଝିବା ଦରକାର ।

ତେବେ ଏହାରି ଭିତରେ ରାହୁଲ ଗାନ୍ଧୀ ଏକ ଟ୍ୱିଟ କରି ବିଜେପିକୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ‘ମୁଁ ଏଠାକୁ ମୋର ମଣିପୁର ଭାଇ ଓ ଭଉଣୀଙ୍କ କଥା ଶୁଣିବାକୁ ଆସିଛି । ସବୁ ସଂପ୍ରଦାୟର ଲୋକମାନେ ସୁନ୍ଦର ଭାବେ ସ୍ୱାଗତ କରିବା ସହ ଭଲପାଇବା ଦେଇଛନ୍ତି । ସରକାର ମୋତେ ଅଟକାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାନ୍ତି ପ୍ରତିଷ୍ଠା ଆମର ଲକ୍ଷ୍ୟ ହେବା ଦରକାର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରିଛନ୍ତି ।