ବିଜେପିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା, ଏବେ ଦେଶରେ ପରିବର୍ତ୍ତନର ସ୍ୱର ଉଠିଛି : ରାହୁଲ

287

କନକ ବ୍ୟୁରୋ: ୫ଟି ରାଜ୍ୟରେ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଅଧ୍ୟକ୍ଷଙ୍କ ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍ । କଂଗ୍ରେସ କର୍ମୀ ଓ ସାଧାରଣ ଜନତାଙ୍କୁ ଦେଲେ ଶୁଭେଚ୍ଛା । କଂଗ୍ରେସର ବିପୁଳ ବିଜୟ ନେଇ ରାହୁଲ କହିଛନ୍ତି ଯେ ଏହି ବିଜୟ ଆମର ଦାୟିତ୍ୱ ବଢ଼ାଇଛି । ୩ଟି ରାଜ୍ୟରେ ଏବେ ପରିବର୍ତ୍ତନର ସ୍ୱର ଉଠାଇଛନ୍ତି ବୋଲି ଏହି ନିର୍ବାଚନ ଫଳାଫଳ ବୟାନ କରୁଛି ଏବଂ ମୋଦିଙ୍କୁ ଦେଶବାସୀ ପ୍ରତ୍ୟାଖାନ କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଏପରିକି ବିଜେପି କାହିଁକି ହାରିଲା ତା’କୁ ଉଖାରିଛନ୍ତି କଂଗ୍ରେସ ଯୁବରାଜ ରାହୁଲ । ଜିଏସଟି ଓ ବିମୁଦ୍ରାକରଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି ରହିଛି । ଅନ୍ୟପଟେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ମୋଦି ଦେଇଥିବା ପ୍ରତିଶୃତି ପୂରଣ କରିନାହାନ୍ତି । ବେକାରୀଙ୍କୁ ନିଯୁକ୍ତି ଓ କୃଷକ ମାନଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି । ଦୁର୍ନୀତିକୁ ରୋକିବାରେ ମୋଦି ସରକାର ଫେଲ ମାରିଛନ୍ତି । ରାଫେଲରେ ଭଷ୍ଟ୍ରାଚାର ହୋଇଛି ବୋଲି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ଅନ୍ୟପଟେ ରାହୁଲ ୫ଟି ରାଜ୍ୟର ଫଳାଫଳକୁ ଦମ୍ଭୋକ୍ତି ବାଢ଼ିଛନ୍ତି ଯେ, ଆଜି ବିଜେପିକୁ ହରାଇଛୁ, ୨୦୧୯ରେ ମଧ୍ୟ ହରାଇବୁ  । କାରଣ ଆଗକୁ ରୋଜଗାର, କିଷାନ ଓ ଭଷ୍ଟ୍ରାଚାର ଭଳି ୩ଟି ମୁଦ୍ଦା ଉପରେ ଗୁରୁତ୍ୱ ଦେଇ ଆଗାମୀ ୨୦୧୯ ଲୋକସଭା ନିର୍ବାଚନକୁ ଓହ୍ଲାଇବ କଂଗ୍ରେସ ବୋଲି କହିଛନ୍ତି କଂଗ୍ରେସ ଯୁବରାଜ । ଏସପି, ବିଏସପି ଓ କଂଗ୍ରେସର ଚିନ୍ତାଧାରା ସମାନ । ଆମ ମାନଙ୍କର ଚିନ୍ତାଧାରା ବିଜେପି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ମୁଖ୍ୟମନ୍ତ୍ରୀ ବାଛିବା ନେଇ କୌଣସି ଚିନ୍ତା ନାହିଁ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇଯିବ ।