ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ କୋଇଲା ବୋହିଲେ ରାହୁଲ: ୨ଶହ କିଲୋ ଲଦା ହୋଇଥିବା ସାଇକେଲ ବୋହିଲେ

500

କନକ ବ୍ୟୁରୋ: ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଝାଡଖଣ୍ଡରେ ଥିବା ରାହୁଲଙ୍କ କିଛି ଏଭଳି ଅନ୍ଦାଜ ଦେଖିବାକୁ ମିଳିଛି । ୨ ଶହ କିଲୋ କୋଇଲା ଦଲା ହୋଇଥିବା ସାଇକେଲ ଶ୍ରମିକଙ୍କ ଠାରୁ ନେଇ ନିଜେ ବୋହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ସମୟର ଫଟୋକୁ ନିଜ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି ରାହୁଲ । ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ଝାଡଖଣ୍ଡରେ ଥିବା ରାହୁଲ ସୋମବାର ସକାଳୁ ନିଜ ଯାତ୍ରା ରାମଗଡ଼ର ମହତ୍ମା ଗାନ୍ଧୀ ରୋଡ୍ରୁ ଆରମ୍ଭ କରିଥିଲେ । ଏହି ସମୟରେ କିଛି ଶ୍ରମିକ କୋଇଲା ଲଦା ସାଇକେଲ ବୋହୁଥିବାର ଦେଖିଥିଲେ ରାହୁଲ । ଗୋଟିଏ ସାଇକେଲ୍ରେ ପ୍ରାୟ ୨ଶହ କିଲୋ କୋଇଲା ବୋହୁଥିଲେ ଶ୍ରମିକମାନେ । ସେମାନଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ସାଇକେଲ୍ ନିଜେ ମଧ୍ୟ ବୋହିଥିଲେ ରାହୁଲ ଗାନ୍ଧୀ । ଏହି ସମୟରେ ରାହୁଲ କହିଥିଲେ, ସେମାନଙ୍କ କଷ୍ଟ କେହି ବୁଝି ପାରିବେ ନାହିଁ । କେବଳ ସେତିକି ନୁହେଁ ଏହା ପୂର୍ବରୁ ଧାନବାଦର ସବୁଠାରୁ ବଡ କୋଇଲା ଖଣିରେ ପହଁଚି ଶ୍ରମିକଙ୍କ ସହ ମଧ୍ୟ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ ।

ନ୍ୟାୟ ଯାତ୍ରା ଜରିଆରେ ଦେଶର ଗରିବ, ସାଧାରଣ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଖରେ ପହଁଚୁଛନ୍ତି ରାହୁଲ । ସେମାନଙ୍କ ସହ ସମୟ ବିତାଉଛନ୍ତି ଏବଂ ସେମାନଙ୍କ ସମସ୍ୟା ଶୁଣୁଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ସରକାର ଗରିବଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ବି କରୁଛନ୍ତି ରାହୁଲ । ରାହୁଲଙ୍କ ଏସବୁ ଅଭିଯୋଗ ଭିତିହୀନ କହିବା ସହ ଏହି ଯାତ୍ରାର କୌଣସି ପ୍ରଭାବ ଭୋଟରଙ୍କ ଉପରେ ପଡିବ ନାହିଁ ବୋଲି ଦାବି କରିଛି ବିଜେପି ।

ଜାନୁଆରୀ ୧୪ରୁ ମଣିପୁର ଥୈବାଲରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲଙ୍କ ନେତୃତ୍ୱରେ ଏହି ଯାତ୍ରା ୬୭ ଦିନରେ ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ୬, ୭୧୩ କିଲୋମିଟର ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛି ଦଳ ।