କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କିଛିଦିନ ହେବ ଲଗାତର ଭାବେ ସାଧାରଣ ଲୋକଙ୍କ ନିକଟରେ ପହଂଚି ସେମାନଙ୍କର ସୁଖଦୁଃଖ ପଚାରି ବୁଝୁଛନ୍ତି । ଏହି କ୍ରମରେ କେବେ ସେ ଗ୍ୟାରେଜ ପହଂଚି ଗାଡି ସଜାଡିବାର ଚିତ୍ର ଭାଇରାଲ ହେଉଛି ତ କେବେ ରେଳବାଇର କୁଲିଙ୍କ ସହ ମିଶି ବୋଝ ଉଠାଉଥିବାର ଫଟୋ ଭାଇରାଲ ହେଉଛି । ହେଲେ ଏବେ ସେ ଦିଲ୍ଲୀରେ ଥିବା ଏକ କାଠ କାରଖାନାରେ ପହଂଚି ମିସ୍ତ୍ରୀଙ୍କୁ ଭେଟିଛନ୍ତି ଓ ତାଙ୍କର ସୁଖଦୁଃଖ ପଚାରି ବୁଝିଛନ୍ତି ।

Advertisment

ଦିଲ୍ଲୀର କିର୍ତ୍ତୀ ନଗରରେ ଥିବା କାଠ କାରଖାନାକୁ ଏସିଆ ମହାଦେଶର ସବୁଠାରୁ ବଡ କାଠ କାରଖାନା ବୋଲି ଗଣନା କରାଯାଏ । ରାହୁଲ ଗାନ୍ଧୀ ଗୁରୁବାର ଦିନ ହଠାତ ଏହି କାଠ କାରଖାନାରେ ପହଂଚିଥିଲେ । ସେଠାରେ ସେ ବଢେଇ ଭାଇମାନଙ୍କୁ ଭେଟି ସେଠାରୁ ସାଉଣ୍ଟିଥିବା ଅନୁଭବକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି କି ବଢେଇ ଭାଇମାନେ ପରିଶ୍ରମୀ ହେବା ସହ ବିଚିତ୍ର କଳାକାର ମଧ୍ୟ ।

ଋାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନୁଭବ ସେୟାର କରିଛନ୍ତି । ସେ ଲେଖିଛନ୍ତି ଏସିଆ ମହାଦେଶର ସବୁଠାରୁ ବଡ କାଠ କାରଖାନାରେ ପହଂଚି ବଢେଇ ଭାଇମାନଙ୍କୁ ଭେଟିଲି । ସେମାନେ ବାସ୍ତବରେ ପରିଶ୍ରମୀ ହେବା ସହ ଜଣେ ଜଣେ ସୁଦକ୍ଷ କଳାକାର । ସେମାନଙ୍କ ସହ ମିଶିଲି ଓ ସେମାନଙ୍କ ଠାରୁ କିଛି କାମ ଶିଖିବାକୁ ଚେଷ୍ଟାକଲି ବୋଲି ସେ ଲେଖିଛନ୍ତି ।

କହିରଖୁ କି ଏହା ପୂର୍ବରୁ ରାହୁଲ ଗାନ୍ଧୀ ଅନେକ ଥର ହଠାତ ସାଧାରଣ ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ଜୀବନ ଜୀବୀକା ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ପହଂଚି କୁଲିମାନଙ୍କୁ ଭେଟିଥିଲେ । ସେମାନଙ୍କ ନିକଟରେ ବସି ସେମାନଙ୍କର ହୃଦୟର ବେଦନା ଜାଣିବାକୁ ଚେଷ୍ଟା କରିଥିଲେ ।