ମୋର ବିକଳ୍ପ ଖୋଜନ୍ତୁ! କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଜ ଜିଦରେ ଅଟଳ ଅଛନ୍ତି ରାହୁଲ, ଦଳୀୟ ନେତାଙ୍କୁ ଭେଟୁନାହାନ୍ତି ।

232

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ସଭାପତି ପଦରୁ ଇସ୍ତଫା ଦେବାକୁ ଅଡି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସିଡବ୍ଲୁସି ବୈଠକରେ ରାହୁଲଙ୍କ ପ୍ରସ୍ତାବକୁ ଖାରଜ କରି ଦିଆଯାଇଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଥିବା ରାହୁଲଙ୍କ ନିକଟତମ ମହଲରୁ ସୂଚନା ମିଳିଛି । କଂଗ୍ରେସର ୨ ବରିଷ୍ଠ ନେତାଙ୍କ ସହ ଆଲୋଚନା ସମୟରେ ରାହୁଲ ନିଜର ବିକଳ୍ପ ଖୋଜିବାକୁ କହିଛନ୍ତି । ତେବେ ନୂଆ ଅଧ୍ୟକ୍ଷ ବାଛିବାକୁ ଯେତିକି ସମୟ ଲାଗିବ ସେହି ସମୟ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ପଦରେ ରହିବେ ବୋଲି ନିଷ୍ପତି ଜଣାଇଛନ୍ତି । ଆଉ ରାହୁଲଙ୍କର ଏହି ନିଷ୍ପତିକୁ ମା ସୋନିଆ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ସମର୍ଥନ କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଅନ୍ୟ ଏକ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି କାହାକୁ ଭେଟୁନାହାନ୍ତି । ଏପରିକି ପୂର୍ବରୁ ସ୍ଥ୍ିର ହୋଇଥିବା ସମସ୍ତ ବୈଠକ ଓ କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି । କେବଳ କିଛି ନବନିର୍ବାଚିତ ସାଂସଦଙ୍କ ସହ ଫୋନ କଲରେ କଥା ହୋଇଛନ୍ତି ରାହୁଲ ।

ଏସବୁ ଭିତରେ ଆଜି ଏକ ଟ୍ୱିଟ୍ କରିଛନ୍ତି ରାହୁଲ । ଯେଉଁଥିରେ ଜବାହାରଲାଲ ନେହେରୁଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଲେଖିଛନ୍ତି ଭାରତ ସମେତ ଅନେକ ଦେଶ ଏକା ସମୟରେ ସ୍ୱାଧୀନତା ଲାଭ କରିଥିଲେ । କିନ୍ତୁ ଖୁବଶୀଘ୍ର ଏହି ଦେଶ ଗୁଡିକରେ ଏକଛତ୍ରବାଦୀ ଶାସନ ଦେଖିବାକୁ ମିଳିଛି । କିନ୍ତୁ ଜବାହାରଲାଲ ନେହେରୁଙ୍କ ପାଇଁ ଦୀର୍ଘ ୭୦ ବର୍ଷ ଧରି ଭାରତ ଏକ ସଶକ୍ତ ଗଣତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ପାଇ ଆସିଛି ।