ପଶ୍ଚିମବଙ୍ଗ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନକୁ ଉହ୍ଲାଇବେ ରାହୁଲ । ମମତାଙ୍କ ବିରୋଧରେ ପ୍ରଚାର କରିବାକୁ ନେଇ ରହିଛି ସନ୍ଦେହ

194

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୮ ଟି ପର୍ଯ୍ୟାୟରେ ହେଉଥିବା ଭୋଟ ଗ୍ରହଣରୁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ହେଲେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରକୁ ନଯିବାକୁ ନେଇ ଚାରିଆଡୁ ଆଲୋଚନା ହେଉଛି । ଏହାରି ମଧ୍ୟରେ ଖବର ଆସିଛି କି ରାହୁଲ ଗାନ୍ଧୀ ପଞ୍ଚମ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗ ଯାଇ ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ୧୭ ତାରିଖ ପରେ ରାହୁଲ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

୪ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଏବେ ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ବିଜେପି ପୁରା ଦମ୍ ଲଗାଇଦେଇଥିବା ବେଳେ କଂଗ୍ରେସର ବଡ ବଡ ନେତାମାନେ ପ୍ରଚାର ମୈଦାନରୁ ଗାଏବ ହୋଇଯାଇଛନ୍ତି । ଯାହାକୁ ନେଇ ଦଳୀୟକର୍ମୀଙ୍କ ମଧ୍ୟରେ ଉତ୍ସାହ ହ୍ରାସ ପାଇଛି । ଏହାକୁ ନଜରରେ ରଖି ୧୭ ତାରିଖ ପରେ କଂଗ୍ରେସର ଗଡ କୁହାଯାଉଥିବା ପଶ୍ଚିମବଙ୍ଗର ନକ୍ସଲବାଡି କିମ୍ବା ସିଲିଗୁଡିରୁ ପ୍ରଚାର କରିପାରନ୍ତି ରାହୁଲ ଗାନ୍ଧୀ । ସେପଟେ ବାମଦଳ ବି ପ୍ରଚାର ମଇଦାନକୁ କେନ୍ଦ୍ରୀୟ ନେତାଙ୍କୁ ନଆଣିବା ନେଇ ବି ପ୍ରଶ୍ନ ଉଠୁଛି ।