ଚାଷୀ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ । ୱାୟନାଡରେ କଂଗ୍ରେସ ନେତାଙ୍କୁ ବସାଇ ଟ୍ରାକ୍ଟର ରାଲିରେ ବାହାରିଲେ ରାହୁଲ ।

95

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ଦିନିଆ କେରଳ ଓ ତାମିଲନାଡୁ ଗସ୍ତରେ ଥିବା ବେଳେ କେରଳ ୱାୟନାଡରେ ଚାଷୀଙ୍କ ସମର୍ଥନରେ ଟ୍ରାକ୍ଟର ରାଲି ବାହାର କରିଛନ୍ତି ରାହୁଲ । ଏହି ସମୟରେ କଂଗ୍ରେସ ଯୁବରାଜ ରାହୁଲ ନିଜେ ଟ୍ରାକ୍ଟର ଚଳାଇ ଥିବା ବେଳେ ଅନ୍ୟ କଂଗ୍ରେସ ନେତା ମାନେ ତାଙ୍କ ସହ ବସିଥିବା ଦେଖିବାକୁ ମିଳିଛି । ଚାଷୀ ସମସ୍ୟା ନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କେନ୍ଦ୍ରକୁ ଟାର୍ଗେଟ କରି ଆହୁରି ମଧ୍ୟ କହିଛନ୍ତି ଯେ ଶକ୍ତିଶାଳୀଙ୍କୁ ଅଧିକ ଶକ୍ତିଶାଳୀ କରିବା ସରକାରଙ୍କ ଲକ୍ଷ୍ୟ କିନ୍ତୁ କଂଗ୍ରେସ ଅବହେଳିତଙ୍କ ବିକାଶ ଉପରେ ଗୁରୁତ୍ୱ ଦିଏ । ଏହାସହ ମନରେଗାକୁ ନେଇ ମଧ୍ୟ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ସେପଟେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଦର ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛନ୍ତି । ସୋମବାର ଦିନ ଟ୍ରାକ୍ଟର ଚଳାଇ ବିଧାନସଭାରେ ପହଂଚିଛନ୍ତି ଏହି ଯୁବ ନେତା । ତେଜସ୍ୱୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚାଷୀ ବିରୋଧୀ ସରକାର ବୋଲି କହିବା ସହ ସରକାର ଚାଷୀଙ୍କ ସମସ୍ୟା ଶୁଣୁନଥିବା ଅଭିଯୋଗ କରିଛନ୍ତି । ଏପରିକି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସରକାର କୌଣସି ପ୍ରତିକ୍ରିୟା ରଖୁନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତେଜସ୍ୱୀ ।

ଦେଶରେ ଗତ କିଛି ଦିନ ତୈଳ ଦର ଅହେତୁକ ଭାବେ ବଢି ଚାଲିଥିବା ବେଳେ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ଶହେ ଟଙ୍କା ଟପିଛି । ଏପରିକି ରୋଷେଇ ଗ୍ୟାସ ସିଲିଣ୍ଡର ଦର ମଧୃ ବୃଦ୍ଧି ପାଇଛି । ଯାହାକୁ ନେଇ ଜନ ଅସନ୍ତୋଷ ବଢିଚାଲିଥିବା ବେଳେ ଏହାକୁ ନେଇ ପ୍ରତିବାଦ ମଧ୍ୟ ଜୋରଦାର ହୋଇଛି ।