ଝାଡ଼ଖଣ୍ଡ ଦେଓଘର ବାବା ବୈଦ୍ୟନାଥ ମନ୍ଦିରରେ ରାହୁଲ କଲେ ରୁଦ୍ରାଭିଷେକ । ଦେଶ ଓ ଦେଶବାସୀଙ୍କ ସୁଖ,ସମୃଦ୍ଧି, ଶାନ୍ତିର କଲେ କାମନା

96

କନକ ବ୍ୟୁରୋ : ମଥାରେ ଚନ୍ଦନ, ଗଳାରେ ଫୁଲମାଳା । ମନରେ ମହାଦେବଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା । ଶନିବାର ଏଭଳି କିଛି ଅବତାରରେ ନଜର ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଝାଡ଼ଖଣ୍ଡରେ ଭାରତଯୋଡ଼ ନ୍ୟାୟଯାତ୍ରା ପହଁଚିବାପରେ ରାହୁଲ ଦେଓଘରର ପ୍ରସିଦ୍ଧ ଶିବମନ୍ଦିରରେ ପହଁଚିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାହୁଲ ପହଁଚିଥିଲେ ବୈଦନାଥ ଶିବମନ୍ଦିରରେ । ରୁଦ୍ରାଭିଷେକ ଆୟୋଜନ କରାଯାଇଥିବାବେଳେ ରାହୁଲ ସାଜିଥିଲେ ଯଜମାନ । ଧୋତି ପିନ୍ଧି ଭକ୍ତିର ସହ କରିଥିଲେ ପୂଜାପାଠ ଓ ମନ୍ତ୍ର ଜପ । ଶିବଙ୍କ ଶ୍ଲୋକରେ କମ୍ପିଥିଲା ପୂରା ପରିବେଶ । ଦେଶ ଓ ଦେଶବାସୀଙ୍କ ସୁଖ, ସମୃଦ୍ଧି, ଶାନ୍ତି ପାଇଁ କଂଗ୍ରେସ ସାଂସଦ ପୂଜା କରିଥିବା ବାବା ବୈଦ୍ୟନାଥ ମନ୍ଦିରପକ୍ଷରୁ କୁହାଯାଇଛି ।

ରାହୁଲଙ୍କ ଶିବ ପୂଜା ଭିଡିଓ ଦଳ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । କଂଗ୍ରେସ ସାଂସଦଙ୍କ ଶିବଭକ୍ତିର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ମନ୍ଦିରରୁ ବାହାରିବା ସମୟରେ ସମର୍ଥକ ହର ହର ମହାଦେବ କହି ରାହୁଲ ପ୍ରତି ଭଲପାଇବା ପ୍ରକାଶ କରିଥିଲେ । ଯେଉଁଠି କଂଗ୍ରେସ ସମର୍ଥକ ଭିଡିଓକୁ ବେଶ ପସନ୍ଦ କରୁଥିବାବେଳେ ଅନ୍ୟପଟେ ବିଜେପି ଏହାକୁ ଭୋଟବ୍ୟାଙ୍କ ରାଜନୀତିର ନା ଦେଇଛି । ଭରତଯୋଡ଼ ନ୍ୟାୟ ଯାତ୍ରା ୨୧ଦିନରେ ପହଁଚିଛି । ମଣିପୁରରୁ ବାହାରିଥିବା ଯାତ୍ରା ୪ଟି ରାଜ୍ୟ ଅତିକ୍ରମ କରିସାରିଲାଣି । ଏହି ସମୟରେ ରାହୁଲଙ୍କୁ ବିଭିନ୍ନ ମନ୍ଦିରରେ ପୂଜାପାଠ କରୁଥିବା ଦେଖିବାକୁ ମିଳୁଛି ।