ରାଫେଲ ଡିଲ୍ ଦସ୍ତାବିଜ୍ ଚୋରି ନେଇ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍ ! କହିଲେ କଂଗ୍ରେସ ଅଭିଯୋଗରେ ରହିଛି ସତ୍ୟତା, ଏୟାରଷ୍ଟ୍ରାଇକର ବି ମାଗିଲେ ପ୍ରମାଣ ।

108

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ପୁଣି ଥରେ ତେଜିଛି ରାଫେଲ ଡିଲ୍ ବିବାଦ  । ଏହି ବିବାଦକୁ ନେଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛି କଂଗ୍ରେସ । ପ୍ରେସମିଟ୍ କରି ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କହିଛନ୍ତି ରାଫେଲ ଡିଲ ନେଇ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି ହେବାର ଅର୍ଥ କଂଗ୍ରେସର ଅଭିଯୋଗରେ ସତ୍ୟତା ରହିଛି । ରାଫେଲ ଡିଲ୍ ସମ୍ପର୍କିତ ଫାଇଲରେ ପ୍ରଧାନମନ୍ତ୍ରୀଙ୍କ ନାଁ ରହିଛି । ତେଣୁ ପ୍ରଧାନମନ୍ତ୍ରୀ ଯଦି ନିର୍ଦ୍ଦୋଷ ତେବେ ଯାଂଚ କରନ୍ତୁ । ଏବଂ ସେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ ।

ରାଫେଲ ରାୟର ପୁନର୍ବିଚାର କରିବା ପାଇଁ ଆଗତ ପିଟିସନ ଉପରେ ଶୁଣାଣିବେଳେ ପ୍ରତିରକ୍ଷା ମନ୍ତ୍ରାଳୟରୁ ଡିଲ୍ ସଂପର୍କିତ ଗୁରୁତ୍ୱପୂର୍ଣ କାଗଜପତ୍ର ଚୋରି ହୋଇଯାଇଥିବା ନେଇ ଗତକାଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ । ଏହି ଚୋରି ଦସ୍ତାବିଜକୁ ଆଧାର କରି ଦ ହିନ୍ଦୁ ଖବରକାଗଜ ରିପୋର୍ଟ ଛାପିଥିବା କହିଥିଲେ ବେଣୁଗୋପାଳ । କୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଏହାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ଏହି ଖବରକାଗଜ ରିପୋର୍ଟ ଛାପି ଅଦାଲତ ଅବମାନନା କରିଛି ବୋଲି ସେ ଅଭିଯୋଗ ଆଣିଥିଲେ । ଏବଂ ଏଥିପାଇଁ ଖବରକାଗଜ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ ।

ତେବେ ଏନେଇ ଏଫଆଇଆର ହୋଇନଥିବାରୁ ଉଦବେଗ ପ୍ରକାଶ କରିଥିଲେ କୋର୍ଟ । ସରକାର କଣ ପଦକ୍ଷେପ ନେଇଛନ୍ତି ସେନେଇ ପ୍ରଶ୍ନ କରିଛନ୍ତି  । ଏବଂ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତି ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ।  ସେପଟେ ରାହୁଲ ଗାନ୍ଧିଙ୍କ ଅଭିଯୋଗ ଉପରେ ପାଲଟା ଜବାବ ରଖିଛି ବିଜେପି । ଦଳ କହିଛି ରାହୁଲ ସବୁବେଳେ ମିଛ କୁହନ୍ତି । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ରାହୁଲ ଆଉ କେତେ ରାଗ ଓଗାଳିବେ ।