ହିନ୍ଦୁସ୍ତାନ ଜେଲରେ ବନ୍ଦୀ ଥିବା ମାସୁଦ୍ ଆଜହରକୁ ପାକିସ୍ତାନ ପଠାଇଲା କିଏ ? ବିଜେପିକୁ ଟାର୍ଗେଟ୍ କରି କିଛି ଏମିତି ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧି ।

195

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଭାରତ ଜେଲରେ ବନ୍ଦୀ ଥିବା ମାସୁଦ୍ ଅଜହରକୁ କିଏ ମୁକ୍ତ କଲା ? ରାହୁଲ କହିଛନ୍ତି, ଯେତେବେଳେ ମୋଦି ପୁଲୱାମା ଘଟଣା ସମ୍ପର୍କରେ କହୁଛନ୍ତି, ସେତେବେଳେ ଦେଶବାସୀଙ୍କୁ କାହିଁକି କହୁ ନାହାନ୍ତି ଯେ, ଏହି ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ମୌଲାନା ମାସୁଦ୍ ଅଜହରକୁ ବିଜେପି ଦଳର ନେତା ପାକିସ୍ତାନରେ ଛାଡିଛନ୍ତି ।

କର୍ଣ୍ଣାଟକର ହାବେରୀ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି, ବିଜେପି ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଉ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲା ଜୈସ-ଏ-ସଂଗଠନର ମୁଖ୍ୟ ମାସୁଦ ଆଜହର । ଆଉ ଏହାକୁ ନେଇ ବିଜେପିକୁ ରାହୁଲ ଗାନ୍ଧି ପ୍ରଶ୍ନ କରିଛନ୍ତି ଯେ, ମାସୁଦ ଆଜହର ହିନ୍ଦୁସ୍ତାନ ଜେଲରୁ ପାକିସ୍ତାନକୁ ଗଲା କେମିତି । ଦର୍ଶକଙ୍କ ତାଳି ମଧ୍ୟରେ ଉତ୍ସାହିତ ନଜର ଆସୁତିବା ରାହୁଲ ଆହୁରି କହିଥିଲେ ଯେ, ଯେଉଁ ଜାହାଜରେ ମାସୁଦ ଆଜହରକୁ କାନ୍ଦାହାର ପଠାଯାଇଥିଲା, ସେହି ଜାହାଜରେ ଜସବନ୍ତ ସିଂହ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମଧ୍ୟ ରହିଥିଲେ । ଏପରିକି ଇଣ୍ଟରନେଟରେ କାନ୍ଦାର ବିମାନବନ୍ଦରରେ ମାସୁଦ ଆଜହର ସହ ଅଜିତ ଡୋଭାଲଙ୍କ ଫଟୋ ରହିଥିବା ମଧ୍ୟ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି ।