କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ସଂସଦରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ । ଗୃହମନ୍ତ୍ରୀ କହିଥିଲେ କି, ଯଦି ଅସ୍ତ୍ରବିରତି ହୋଇନଥାନ୍ତା ତେବେ ପାକ୍ ଅଧିକୃତ କାଶ୍ମୀର ଆଜି ଭାରତର ଅଙ୍ଗ ହୋଇ ରହିଥାନ୍ତା । ଏହାସହ ସେ କହିଥିଲେ କି ଯଦି ନେହରୁ ୨ ଦିନ ରହିଯାଇଥାନ୍ତେ ତେବେ ପୂରା ପିଓକେରେ ତ୍ରିରଙ୍ଗା ଉଡିଥାନ୍ତା । ଅମିତ ଶାହାଙ୍କ ବୟାନ ଉପରେ ଜବାବ ରଖିଛନ୍ତି ରାହୁଲ ଗାନ୍ଧୀ ।

Advertisment

ରାହୁଲ ଗାନ୍ଧୀ କହିଛନ୍ତି କି, ଅମିତ୍ ଶାହାଙ୍କୁ ଇତିହାସ ଜଣାନାହିଁ । ପଣ୍ଡିତ ଜବାହରଲାଲ ନେହରୁ ଭାରତ ପାଇଁ ନିଜର ଜୀବନ ଉତ୍ସଗ କରିଛନ୍ତି । ବର୍ଷ ବର୍ଷ ଧରି ଜେଲରେ ରହିଛନ୍ତି । ଏଭଳି ମନ୍ତବ୍ୟ କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ । ସଂସଦରେ ମୂଳ ପ୍ରସଙ୍ଗ ଜାତିଗତ ଜନଗଣନାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ସେ ନେହରୁଙ୍କ ପ୍ରତି ଏଭଳି ବୟାନ ଦେଇଛନ୍ତି । ଏହାସହ ସେ କହିଛନ୍ତି କି, ଭାଗିଦାରୀରେ ଦେଶର ସମ୍ପତ୍ତି କୁଆଡେ ଯାଉଛି ତା ଉପରେ ସଂସଦରେ ଚର୍ଚ୍ଚା ହେଉନାହିଁ । ଏସବୁ ମୂଳ ପ୍ରସଙ୍ଗକୁ ବିଜେପି ଭୟ କରୁଥିବାରୁ ଲୋକଙ୍କ ଧ୍ୟାନ ହଟାଇବାକୁ ସେ ନେହରୁଙ୍କ ସହାୟତା ନେଉଛନ୍ତି ବୋଲି ୱାଇନାଡ ସାଂସଦ କହିଛନ୍ତି ।

ସେପଟେ ମଧ୍ୟପ୍ରଦେଶରେ ବିଜେପି ଜଣେ ପଛୁଆ ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉପରେ ରାହୁଲ ଗାନ୍ଧୀ କହିଛନ୍ତି କି ନିଜେ ପ୍ରଧାନମନ୍ତ୍ରୀ ମୋଦୀଜୀ ପଛ୍ରୁଆ ବର୍ଗର ମାତ୍ର ପ୍ରଶାସନ କ୍ଷେତ୍ରରେ କେତେଜଣ ଓବିସି ରହିଛନ୍ତି ଓ ଦେଶରେ ଓବିସିଙ୍କ ଭାଗିଦାରୀ କେତେ ବୋଲି ସେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।