ରାହୁଲଙ୍କ ସଭାରେ କମ୍ପିଲା ଜୟ ମାତା ଦୀ ନାରା

216

କନକ ବ୍ୟୁରୋ : ଦେଶରେ କଂଗ୍ରେସ ଅନେକ ଦିନହେବ କ୍ଷମତାରୁ ଦୂରେଇ ରହିଛି । କ୍ଷମତାରେ ଥିବା ବିଜେପି ଉପରେ କଂଗ୍ରେସ ବାରମ୍ବାର ଅଭିଯୋଗ ଆଣିଛି କି, ବିଜେପି ରାଜନୀତିକୁ ଧର୍ମ ସହିତ ଜଡିତ କରି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ହେଲେ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ରାହୁଲ ଗାନ୍ଧୀ ଏକ ସଭାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଜୟ ମାତା ଦୀ ନାରା ଲଗାଇଛନ୍ତି । ହେଲେ ସାମ୍ନାରେ ବସିଥିବା ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜୋରରେ ନାରା ନଲାଗାଇବାରୁ ସେମାନଙ୍କୁ ନାରା ଲଗାଇବାକୁ ଅନୁରୋଧ କରିଥିଲେ ରାହୁଲ ଗାନ୍ଧୀ ।

କହିରଖୁ କି ଦୁଇ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ରାହୁଲ ଗାନ୍ଧୀ ଆଜି ବୈଷ୍ଣବ ଦେବୀ ମନ୍ଦିର ପରିଦର୍ଶନରେ ଯାଇଥିଲେ । ଏହି ଯାତ୍ରା ବେଳେ ସେ ତୀର୍ଥଯାତ୍ରୀଙ୍କ ସହ ଜୋର ଜୋର ଚାଲୁଥିବାର ଦେଖିବାକୁ ମିଳିଥିଲା । ୧୪ କିଲୋମିଟରର ଏହି ଯାତ୍ରା ପୁରା ସୁରକ୍ଷାକର୍ମୀଙ୍କ ଘେରରେ ଯାଇଥିଲେ ରାହୁଲ ଗାନ୍ଧୀ । ଏହି କ୍ରମରେ ଘାଟିରେ ପତାକା ଧରି ରାହୁଲ ଗାନ୍ଧୀ ଧାଡିରେ ଛିଡା ହୋଇଥିବା ବି ଦେଖିବାକୁ ମିଳିଛି ।

ଯାତ୍ରା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଥିଲେ କି “ମୁଁ ଏଠାକୁ ମାତା ଦର୍ଶନରେ ଆସିଛି, ତେଣୁ ରାଜନୈତିକ ଟିପ୍ପଣୀ କରିବାକୁ ଚାହୁଁ ନାହିଁ । ” ରାହୁଲଙ୍କ ବୈଷ୍ଣବ ଦେବୀ ମନ୍ଦିର ଦର୍ଶନବେଳେ ତାଙ୍କ ସହ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ୟାମେରା ନେବାକୁ ଅନୁମତି ମିଳି ନଥିବାରୁ କଂଗ୍ରେସ ତରଫରୁ ଏକ ଭିଡିଓ ଜାରି କରାଯାଇଛି ।

ସୂଚନା ଥାଉକି ୨୦୧୯ ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାହୁଲ ଗାନ୍ଧୀଙ୍କ ଏହା ତୃତୀୟ ଗସ୍ତ । ସେପଟେ ରାହୁଲ ଗାନ୍ଧୀଙ୍କ ଏଭଳି ଜୟ ମାତା ଦୀ ନାରାକୁ ନେଇ ସମାଲୋଚକମାନେ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାଙ୍କ ଧାର୍ମିକତା ପ୍ରଦର୍ଶନରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବା ସୂଚାଇଛନ୍ତି ।