ଆମେଠି ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି ! ରାହୁଲଙ୍କୁ ଟକ୍କର ଦେଉଛନ୍ତି ସ୍ମୃତି, କଂଗ୍ରେସ ଗଡରେ ଏଥର କିଏ କରିବ କାୟା ବିସ୍ତାର ?

169

କନକ ବ୍ୟୁରୋ : ଆମେଠି ଏଥର ଦେଖିବ ଆନୁଗତ୍ୟ ବନାମ ବାସ୍ତବ ସ୍ଥିତି । ଗୋଟିଏ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବା ବେଳେ ତାଙ୍କୁ ପୁଣି ଥରେ ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କଂଗ୍ରେସର ଗଡ କୁହାଯାଉଥିବା ଆମେଠିରେ ଗୋଟିଏ ପଟେ ରହିଛି ଆନୁଗତ୍ୟ ଅପରପକ୍ଷରେ ରହିଛି ବାସ୍ତବ ସ୍ଥିତି । ଏହି ଭିଭିଆଇ ସଂସଦୀୟ କ୍ଷେତ୍ର ପୁଣି ଥରେ ଦେଖିବ ହେଭିୱେଟ ଲଢେଇ । ଏହି ଲୋକସଭା ଆସନକୁ ନିଜ ଅକ୍ତିଆରକୁ ନେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁଣି ଥରେ ବିଜେପି ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଆମେଠି ଲୋକସଭା ଆସନକୁ ହାତେଇବାକୁ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ହେଉଛି ଟକ୍କର । ସ୍ମୃତି ଇରାନୀ ହାରିବା ସତ୍ୱେ ରାହୁଲ ଗାନ୍ଧୀଙ୍କ ଠାରୁ ଅଧିକ ଆମେଠି ଗସ୍ତ କରିଛନ୍ତି ବୋଲି ବିଜେପି କହୁଥିବା ବେଳେ ଏହାକୁ କାଉଁଟର କରିଛି କଂଗ୍ରେସ ।

ସବୁଠୁ ବଡ କଥା ହେଉଛି କଂଗ୍ରେସର ଗଡ ଆମେଠିରେ ସ୍ମୃତି ଇରାନୀ ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ଯେଉଁଠି ୧୯୭୭ ଓ ୧୯୯୮ରେ ମାତ୍ର ଦୁଇ ଥର କଂଗ୍ରେସ ପରାଜୟ ହୋଇଥିଲା ସେଠାରେ ପୁଣି କଂଗ୍ରେସର ବିଜୟକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଆମେଠିକୁ ନେଇ ନୂଆ ନୂଆ ସ୍ଲୋଗାନ ମଧ୍ୟ ମାହୋଲକୁ ସରଗରମ କରିଛି । ବିଜେପି  ‘ଅବକି ବାର ଆମେଠି ହମାର୍’ ସ୍ଲୋଗାନ ଦେଉଥିବା ବେଳେ ଏହାକୁ ଟକ୍କର ଦେଉଛି କଂଗ୍ରେସର ସ୍ଲୋଗାନ । ଯେଉଁଥିରେ କୁହାଯାଇଛି ‘ଅବକି ବାର୍ ସ୍ମୃତି ଇରାନୀ କି ତିସରି ହାର୍, ରାହୁଲ ଜୀ କି ଜିତ୍ କା ଅନ୍ତର ୫ଲାଖ୍ କେ ପାର୍’ ।

୨୦୧୪ ନିର୍ବାଚନ ବେଳେ ରାହୁଲ ସନ୍ଦେଶ ଯାତ୍ରା ସତ୍ୱେ ଏହା ଭୋଟରେ ପରିଣତ ହେବାରେ ଏତେଟା ପ୍ରଭାବ ପକାଇନଥିଲା । କାରଣ ୨୦୦୯ରେ ରାହୁଲ ୩ଲକ୍ଷ ୭୦ହଜାର ଭୋଟରେ ଜିତିଥିବା ବେଳେ ୨୦୧୪ରେ ଏହା ଥିଲା ୧ଲକ୍ଷ ୭ହଜାର । ଏଥର ଆମେଠି ଆସନ ସହ କେରଳର ୱାୟନାଡ ଆସନରୁ ବି ନିର୍ବାଚନ ଲଢୁଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ଏହାକୁ ନେଇ ଆମେଠିରେ ତାଙ୍କ ବିରୋଧରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅପରପକ୍ଷରେ ବିଜେପି ମଧ୍ୟ ଏହାର ଫାଇଦା ଉଠାଉଛି । ଆମେଠି ଆସନରୁ ରାହୁଲ ଜିତିବା ନେଇ ଦଳ ସଂଶୟରେ ରହିଛି ତେଣୁ ୱାୟନାଡରୁ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢୁଛନ୍ତି ବୋଲି କହିଛି ବିଜେପି ।