ଉତରପ୍ରଦେଶ ଲଖିମପୁର ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

110

କନକ ବ୍ୟୁରୋ : ଉତରପ୍ରଦେଶ ଲଖୀମପୁର ହିଂସାକୁ ନେଇ ଆଜି ରାଷ୍ଟ୍ରପତିଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ୭ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନରେ ରାମନାଥ କୋବିନ୍ଦଙ୍କୁ ଭେଟିଛି ।
ରାଷ୍ଟ୍ରପତିଙ୍କୁ ଭେଟି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଦାବି କରିଛି ଦଳ । ରାହୁଲ ଗାନ୍ଧୀ କହିଛନ୍ତି, ପୀଡ଼ିତ ପରିବାରକୁ ନ୍ୟାୟ ମିଳୁ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ । ଯେ ପର୍ଯ୍ୟନ୍ତ ଅଜୟ ମିଶ୍ର ମନ୍ତ୍ରୀ ଅଛନ୍ତି, ସେ ପର୍ଯ୍ୟନ୍ତ ନିରପେକ୍ଷ ଯାଂଚ ହୋଇପାରିବ ନାହିଁ । ଆଶିଷ ମିଶ୍ରଙ୍କ ବାପା ମନ୍ତ୍ରୀ ଥିବା ପର୍ଯ୍ୟନ୍ତ ନିରପେକ୍ଷ ତଦନ୍ତ କିପରି ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପୀଡ଼ିତଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରାହୁଲ ଓ ପ୍ରିୟଙ୍କାଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, ଏ. କେ ଆଂଟୋନି, ଗୁଲାମ ନବୀ ଆଜାଦ ଓ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଗତ ୩ ତାରିଖରେ ଲଖୀମପୁର ଖେରୀରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କ ଜୀବନ ଯାଇଛି । ଏହି ଘଟଣାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି ।