ହାଥରସ ମାମଲାକୁ ନେଇ ରାଜନୈତିକ ଛକାପଞ୍ଝା ଜାରି । ବିବାଦ ଭିତରେ ରାହୁଲଙ୍କ ସହ ୫ ଜଣଙ୍କୁ ହାଥରସ ଯିବାକୁ ୟୁପି ସରକାରଙ୍କ ଅନୁମତି ପରେ ହାଥରସରେ ପହଁଚିଲେ ରାହୁଲ । 

140

କନକ ବ୍ୟୁରୋ : ରାଜନୀତିର ହଟସ୍ପଟ୍ ପାଲଟିଥିବା ହାଥରସରେ ଆଜି ଦିନ ତମାମ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା । ହାଥରସ ପ୍ରସଙ୍ଗରେ ରଣହୁଂକାର ଦେଇଛନ୍ତି ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ । ୫ ଜଣଙ୍କୁ ନେଇ ହାଥରସ ଯିବାକୁ ଅନୁମତି ମିଳିବା ପରେ ରାହୁଲ ଗାନ୍ଧୀ ପୀଡିତାଙ୍କ ଘରେ ପହଁଚିଛନ୍ତି ।

ଦିଲ୍ଲୀ-ନୋଏଡ଼ା ଟୋଲ ଗେଟ୍ ନିକଟରେ ୟୁପି ପୋଲିସ ଓ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହେବା ପରେ ଲାଠିଚାର୍ଜ କରିଥିଲା ପୋଲିସ । ଏପଟେ ହଥରସ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ନୋଏଡା ନିକଟ ଏକ୍ସପ୍ରେସ ୱେରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସେପଟେ ଆଜି ୟୁପି ପୋଲିସ ଡିଜି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପୀଡିତାଙ୍କ ଘରେ ପହଁଚି, ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ଗୁରୁବାର ଗ୍ରେଟର ନୋଏଡାରେ ଉତେଜନା ସୃଷ୍ଟି ହୋଇଥିଲା । ଯେତେବେଳେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ଏକ୍ସପ୍ରେସ ହାଇୱେ ଦେଇ ହଥରସ ଯିବାକୁ ଉଦ୍ୟମ କରୁଥିଲେ । ନୋଏଡା ପୋଲିସ ସେମାନଙ୍କୁ ହଥରସ ଯିବା ପାଇଁ ଅନୁମତି ଦେଇନଥିଲେ । ଏପରିକି ରାହୁଲଙ୍କୁ ଧକ୍କା ପେଲା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିଛି ଘଂଟା ଧରି ଚାଲିଥିଲା ଏହି ଡ୍ରାମା । ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରି ପରେ ଛାଡି ଦେଇଥିଲା ।