ରାହୁଲ କହିଲେ, ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ନୀତିର ଚାମ୍ପିୟନ । ଅଖିଳେଶ କହିଲେ, ଇଣ୍ଡିଆ ମେଣ୍ଟ ବିଜେପିକୁ ସଫା କରିଦେବ । 

135

କନକ ବ୍ୟୁରୋ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଏନଡିଏ ଉପରେ ବର୍ଷିଛନ୍ତି । ଅଖିଳେଶ କହିଛନ୍ତି, ଇଣ୍ଡିଆ ମେଣ୍ଟ ଗାଜିଆବାଦରୁ ଆରମ୍ଭ କରି ଗାଜିପୁର ପର୍ଯ୍ୟନ୍ତ ବିଜେପିକୁ ସଫା କରିବ । ବିଜେପି କେବଳ ମିଛ କହିବା ଜାଣିଛି । ଏବେ ଦେଶରେ ଚାଷୀ, ଯୁବକ, ମହିଳା ସମସ୍ତେ ଦୁଃଖୀ । ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ କହିଥିଲେ କଣ ହେଲା? ଯୁବକଙ୍କୁ ରୋଜଗାର ଦେବାକୁ ପ୍ରତିଶ୍ରୁତି ମିଳିଥିଲା ଏବେ କଣ ହେଲା? ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ବି ପୂରଣ ହୋଇନାହିଁ । ବିଜେପି ଏବେ ଦୁର୍ନୀତିଖୋରଙ୍କ ଗୋଦାମ ପାଲଟିଛି । ମତଦାନ ଦିନ ଲୋକଙ୍କୁ ସାବଧାନତାର ସହ ଭୋଟ ଦେବାକୁ ହେବ ତେବେ ଯାଇ ବିଜେପି ହଟିବ ।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି କେବେ ପ୍ରସଙ୍ଗଭିତ୍ତିକ କଥା କୁହନ୍ତିନି । ଏହି ନିର୍ବାଚନ ବିଚାରଧାରାର ନିର୍ବାଚନ । ଗୋଟିଏ ପଟେ ଆରଏସଏସ ଓ ବିଜେପି ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛି ଏବଂ ଅନ୍ୟପଟେ ଇଣ୍ଡିଆ ମେଣ୍ଟ ଦେଶର ସମ୍ବିଧାନ ଓ ବିଧିବ୍ୟବସ୍ଥାକୁ ସୁରକ୍ଷା ଦେବାକୁ ପ୍ରୟାସ କରୁଛି । ବେରୋଜଗାରୀ ଓ ମହଙ୍ଗା ଏବେ ଦେଶର ସବୁଠୁ ବଡ ମୁଦ୍ଦା । କିନ୍ତୁ ପ୍ରଧାନମନ୍ତ୍ରୀ ଓ ବିଜେପି ଏହି ମୁଦ୍ଦାକୁ ନେଇ କେବେ ମୁହଁ ଖୋଲୁନାହାନ୍ତି । ନିର୍ବାଚନୀ ବଣ୍ଡକୁ ନେଇ ରାହୁଲ କହିଛନ୍ତି, ଏହା ସବୁଠୁ ବଡ ଦାଦାବଟି ଯୋଜନା । ଭାରତର ସମସ୍ତ ବ୍ୟବସାୟୀ ଓ ଉଦ୍ୟୋଗୀ ଏହାକୁ ବେଶ ଭଲ ଭାବରେ ବୁଝିସାରିଛନ୍ତି । ନିର୍ବାଚନୀ ବଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ଯାହା କହିଲେ ବି ଲୋକେ ସତ କଣ ବେଶ ଭଲ ଭାବେ ଜାଣିଛନ୍ତି । ପୂରା ଦେଶ ଜାଣିଛି ପ୍ରଧାନମନ୍ତ୍ରୀ ଦୁର୍ନୀତିର ଚାମ୍ପିୟନ । ଏହାସହ ରାହୁଲ କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେପି ମାତ୍ର ୧୫୦ ସିଟରେ ବିଜୟୀ ହେବ । ଦିନ ଗଡିବା ସହ ଇଣ୍ଡିଆ ମେଣ୍ଟ ଆହୁରି ଭଲ ପ୍ରଦର୍ଶନ କରୁଛି । ଉତ୍ତରପ୍ରଦେଶରେ ଆମ ମେଣ୍ଟ ବହୁତ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।