କନକ ବ୍ୟୁରୋ: ସଂସଦୀୟ ଦଳର ବୈଠକରେ ପୁଣି ଥରେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ସଂସଦୀୟ ଦଳର ନେତା ରୂପେ ଚୟନ କରାଯାଇଛି । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ନବନିର୍ବାଚିତ ନେତାଙ୍କ ମନୋବଳ ବଢାଇବା ପାଇଁ ସେମାନଙ୍କୁ ଆକ୍ରାମକ ଏବଂ ମଜବୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ହିଁ ରାହୁଲ କହିଛନ୍ତି, ଆମର ୫୨ ଜଣ ସାଂସଦ ହିଁ ବିଜେପି ସହ ଲଢିବା ପାଇଁ ଯଥେଷ୍ଟ ।

Advertisment

ଆଜି ସଂସଦର ସେଂଟ୍ରାଲ ହଲରେ ଆୟୋଜିତ କଂଗ୍ରେସର ସଂସଦୀୟ ଦଳର ବୈଠକରେ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ ଆହ୍ୱାନ ଦେଇଛନ୍ତି ଯେ, ସମସ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ମନେ ରଖିବାକୁ ହେବ କି ଆମେ ସମସ୍ତେ ସଂବିଧାନ ପାଇଁ ଲଢୁଛେ ଏବଂ ବିନା କୌଣସି ଭେଦଭାବରେ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଏହି ଲଢେଇ ଜାରି ରହିବ । ରାହୁଲ ଆହୁରୀ ମଧ୍ୟ କହିଛନ୍ତି, ଏଥିପାଇଁ ଆମକୁ ମଜଭୁତ ଏବଂ ଆକ୍ରାମକ ରହିବାକୁ ହେବ । ଲୋକସଭା ନିର୍ବାଚନରେ ବହୁତ କମ ଆସନରୁ ଜିତିବା ସତ୍ୱେ ବି ରାହୁଲ ଶକ୍ତିଶାଳୀ ହେବାର ଅନୁଭବ କରାଇ କହିଛନ୍ତି କି ‘ଆମର ୫୨ ଜଣ ସାଂସଦ ରହିଛନ୍ତି ଆଉ ମୁଁ ପୂରା ଗ୍ୟାରେଂଟିର ସହ କହୁଛି କି ଏହି ୫୨ ହିଁ ବିଜେପିଠାରୁ ଇଂଚ-ଇଂଚ ଲଢେଇ କରିବା ପାଇଁ ଯଥେଷ୍ଟ ।’

ଅନ୍ୟପଟେ, ବୈଠକରେ ସୋନିଆ ଗାନ୍ଧୀ ସଂସଦୀୟ ଦଳର ନେତା ଭାବେ ବଛା ଯିବା ପରେ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳକୁ ଭୋଟ ଦେଇଥିବା ୧୨ କୋଟି ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ । ଯଦିଓ ବୈଠକରେ ବିରୋଧୀ ଦଳ ନେତାଙ୍କୁ ନେଇ କୌଣସି ଆଲୋଚନା କରାଯାଇନଥିଲା ତେବେ ଏହି ଦାୟିତ୍ୱ ସୋନିଆଙ୍କ ଉପରେ ଛାଡି ଦିଆଯାଇଛି । ଅର୍ଥାତ୍ ଲୋକସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା କିଏ ହେବେ, ତାହା ବାଛିବାର ଦାୟିତ୍ୱ ସୋନିଆ ଗାନ୍ଧିଙ୍କୁ ଦିଆଯାଇଛି ।