ରାହୁଲ ଗାନ୍ଧୀଙ୍କ ପାଇଁ ସୁରତ ପରେ ଏବେ ରାଞ୍ଚୀ ଅଡୁଆ, ଜାଣନ୍ତୁ ରାଞ୍ଚୀରେ କ’ଣ କହିଥିଲେ ଏହି କଂଗ୍ରେସ ନେତା ?

390

କନକ ବ୍ୟୁରୋ : ନିଜର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପିଛା ଛାଡୁନି ଅଡୁଆ । ମୋଦୀ ସାଙ୍ଗିଆକୁ ନେଇ ସୁରତରେ ଦେଇଥିବା ବିବାଦୀୟ ବୟାନ ମାମଲାରେ ଆଜି କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ହେଲେ ଦଣ୍ଡ ବିଧାନ ହେବାର ମାତ୍ର କିଛି ସମୟ ମଧ୍ୟରେ ରାହୁଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହାକୁ ନେଇ ଏବେ ରାଜନୀତି ଜୋର ଧରିଥିବା ବେଳେ ରାହୁଲଙ୍କ ବୟାନକୁ ନେଇ ଅନ୍ୟ ସ୍ଥାନରେ ହୋଇଥିବା ମାମଲା ଏବେ ପୁଣି ରାହୁଲଙ୍କୁ ଅଡୁଆରେ ପକାଇପାରେ ।

ସୁରତ ପରେ ଏବେ ଝାଡଖଣ୍ଡରେ ରାହୁଲ ଗାନ୍ଧୀଙ୍କ ନାମରେ ୩ଟି ମାମଲା ରହିଛି । ୨୦୧୯ ଲୋକସଭା ନିର୍ବାଚନ ବେଳେ ଝାଡଖଣ୍ଡ ରାଞ୍ଚୀରେ ରାହୁଲ ଗାନ୍ଧୀ ଦେଇଥିବା ବିବାଦୀୟ ବୟାନକୁ ନେଇ ପ୍ରଦୀପ ମୋଦୀ ନାମରେ ଜଣେ ବ୍ୟକ୍ତି ରାଞ୍ଚୀ କୋର୍ଟରେ ଅଭିଯୋଗ କରିଥିଲେ । ଏହି ମାମଲା ଉପରେ ରାହୁଲ ଗାନ୍ଧୀଙ୍କ ଓକିଲ ରାଞ୍ଚୀ କୋର୍ଟରେ ସଫେଇ ଦେଇଥିଲେ ବି ଏହି ସଫେଇ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ ।

ସୂଚନା ମୁତାବକ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧୀ ରାଞ୍ଚୀରେ ଏକ ରାଲି କରିଥିଲେ । ଏହି କ୍ରମରେ ସେ ସଭାକୁ ଉଦବୋଧନ ଦେଇ କହିଥିଲେ କି ‘ସବୁ ଚୌକିଦାର ଚୋର ଅଟନ୍ତି’ ଏହି ଭାଷଣକୁ ଆଗକୁ ବଢାଇ ପୁଣି ଏକ ବିବାଦୀୟ ବୟାନ ଦେଇଥିଲେ । ଏହି ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କ ନାମରେ ରାଞ୍ଚୀ ସମେତ ପାଟନା, ମୁଜାଫରପୁର, କଟିହାର ଓ କର୍ଣ୍ଣାଟକ ସମେତ ଅନେକ ସ୍ଥାନରେ ମାମଲା ରୁଜୁ କରାଯାଇଥିଲା । ଏହାସହ ଅନ୍ୟଏକ ମାମଲା ମଧ୍ୟ ରାହୁଲ ଗାନ୍ଧୀଙ୍କ ନାମରେ ରହିଛି । କଂଗ୍ରେସର ଦିଲ୍ଲୀ ଅଧିବେଶନ ବେଳେ ରାହୁଲ ଗାନ୍ଧୀ କହିଥିଲେ କି, କୌଣସି ହତ୍ୟାକାରୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବ ନାହିଁ । ହେଲେ ବିଜେପିରେ ହତ୍ୟାକାରୀମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ବୋଲି ସେ କହିଥିଲେ । ରାହୁଲ ଗାନ୍ଧୀଙ୍କ ଏଭଳି ବୟାନକୁ ନେଇ ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିଲା ।