ଶ୍ରୀଲଙ୍କା ଗସ୍ତରେ ରାହୁଲ ଦ୍ରାବିଡ୍ ହେବେ ଟିମ୍ ଇଣ୍ଡିଆର କୋଚ୍ । ୭ବର୍ଷ ପରେ ଭାରତୀୟ ଦଳ ସହ ଯୋଡିହେବେ ରାହୁଲ ।

255

କନକ ବ୍ୟୁରୋ : ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଆଉ ଏହି ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ରହିବେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ମାସରେ ୩ଟି ଦିନିକିଆ ମ୍ୟାଚ୍, ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ । ତେବେ ରାହୁଲ ଦ୍ରାବିଡ୍ ଭାରତ-ଏ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର କୋଚ୍ ରହିଥିଲେ ।

ତେବେ ସିନିୟର ଟିମ୍ ସହ ଦ୍ୱିତୀୟ ଥର ପାଇଁ ଯୋଡି ହେବାକୁ ଯାଉଛନ୍ତି ରାହୁଲ ଦ୍ରାବିଡ । ଏହା ପୂର୍ବରୁ ୨୦୧୪ରେ ଇଂଲଣ୍ଡ ଗସ୍ତ ସମୟରେ ଭାରତୀୟ ଟିମର ବ୍ୟାଟିଂ ପରାମର୍ଶଦାତା ରହିଥିଲେ ରାହୁଲ । ଜୁଲାଇ ୫ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ ଟିମ୍ ଇଣ୍ଡିଆ । ପ୍ରଥମ ଦିନିକିଆ ମ୍ୟାଚ୍ ଜୁଲାଇ ୧୩ରେ ଖେଳାଯିବ, ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୬ରେ ଏବଂ ତୃତୀୟ ଦିନିକିଆ ମ୍ୟାଚ୍ ଜୁଲାଇ ୧୯ରେ ଖେଳାଯିବ । ସେହିପରି ୨୨ ଜୁଲାଇରେ ପ୍ରଥମ ଟି-୨୦ ମ୍ୟାଚ୍, ୨୪ ଜୁଲାଇରେ ଦ୍ୱିତୀୟ ଟି-୨୦ ଏବଂ ୨୭ ଜୁଲାଇରେ ତୃତୀୟ ଟି-୨୦ ଖେଳାଯିବ । ସମସ୍ତ ମ୍ୟାଚ୍ କୋଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।