ରବି ଶାସ୍ତ୍ରୀଙ୍କ ସ୍ଥାନରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ଦାୟିତ୍ୱ ନେବେ ରାହୁଲ ଦ୍ରାବିଡ ! ବର୍ଷକୁ ୧୦କୋଟି ଦରମାରେ ଦୁଇ ବର୍ଷ ପାଇଁ କରିବେ ଚୁକ୍ତି ।

183

କନକ ବ୍ୟୁରୋ : ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ପରବର୍ତୀ କୋଚ୍ ହେବା ନିଶ୍ଚିତ ହୋଇଯାଇଛି । ଏହି ଗୁରୁଦାୟିତ୍ୱ ନେବାକୁ ଦ୍ରାବିଡ଼ ସହମତି ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଟି-୨୦ ବିଶ୍ୱକପ୍ ପରେ ଏବେ ଟିମ୍ ଇଣ୍ଡିଆର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତେବେ ଦ୍ରାବିଡ଼ଙ୍କ ନିଯୁକ୍ତି ନେଇ ବିସିସିଆଇ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇ ନାହିଁ ।

ରାହୁଲ ଦ୍ରାବିଡ଼ ହେବେ ଟିମ୍ ଇଣ୍ଡିଆର ପରବର୍ତୀ କୋଚ୍ ! ଗୁରୁଦାୟିତ୍ୱ ନେବାକୁ ସହମତି ପ୍ରକାଶ କରିଛନ୍ତି ରାହୁଲ । ଟି-୨୦ ବିଶ୍ୱକପ୍ ପରେ ଏବେ ଟିମ୍ ଇଣ୍ଡିଆର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ଶାସ୍ତ୍ରୀଙ୍କ ପରେ କିଏ ଏହି ଗୁରୁଦାୟିତ୍ୱ ନେବ, ତା ଉପରେ ତର୍ଜମା ଚାଲିଥିବା ବେଳେ ରାହୁଲ ଦ୍ରାବିଡ଼ କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ଭାରତୀୟ ସିନିୟର କ୍ରିକେଟ ଦଳର କୋଚ୍ ହେବାକୁ ସହମତି ପ୍ରକାଶ କରିଛନ୍ତି ରାହୁଲ ଦ୍ରାବିଡ଼ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଶୁକ୍ରବାର ଆଇପିଏଲ ଫାଇନାଲ ବେଳେ ୟୁଏଇରେ ତାଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା । ତେବେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ ।

ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ । ପୂର୍ବରୁ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ରାହୁଲ ଦ୍ରାବିଡ ।

ନିଜ ଖେଳ ସମୟରେ ବ୍ୟାଟିଂ ପାଇଁ ବିପକ୍ଷ ଦଳର ବୋଲର ମାନଙ୍କ ଆଖିର ନିଦ ହଜାଇ ଦେଉଥିଲେ ଦ୍ରାବିଡ଼ । ଧୈର୍ଯ୍ୟ, କୌଶଳ ଓ ଦଳଗତ ମନୋବୃତି ପାଇଁ ସେ “ଦି ୱାଲ’ ଭାବେ ପରିଚିତ ଥିଲେ । ଦ୍ରାବିଡ଼ଙ୍କ ପାଖରେ କୋଚିଂ ନେଇ ପୂର୍ବରୁ ଅଭିଜ୍ଞତା ରହିଛି ।

*ରାହୁଲ ଦ୍ରାବିଡ଼ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ
*୨୦୧୬ରୁ ୨୦଼୧୯ ଯାଏଁ ଇଣ୍ଡିଆ ଏ ଓ ୧୯ ବର୍ଷରୁ କମ୍ ଦଳର କୋଚ୍ ଭାବେ କାର୍ଯ୍ୟ କରିଥିଲେ
*୨୦୧୬ରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତୀୟ ଦଳ ଉପବିଜେତା ହୋଇଥିଲା
*୨୦୧୮ରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଲା
*୨୦୧୯ରେ ଦ୍ରାବିଡ଼ଙ୍କୁ ବାଙ୍ଗାଲୋର ସ୍ଥିତ ଏନସିଏ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଗଲା

ରାହୁଲ ଦ୍ରାବିଡ଼ ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ କୋଚ୍ ହେବାକୁ ଯାଉଥିବା ବେଳେ ବୋଲିଂ କୋଚ୍ ଭାବେ ପାରସ ମାହାମ୍ବ୍ରେଙ୍କୁ ଦାୟିତ୍ୱ ମିଳିପାରେ । ଦଳର ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର ।