ସିରିଜ ବିଜୟ ପରେ ରାହୁଲ ଦ୍ରାବିଡ ଦେଲେ ଟିମ୍ ଇଣ୍ଡିଆକୁ ଚେତାବନୀ । କହିଲେ କିଛି ଏମିତି କଥା… ।

598

କନକ ବ୍ୟୁରୋ : କିୱି ଟିମ୍ ବିପକ୍ଷରେ ଟି-୨୦ ସିରିଜ କ୍ଲିନସୁଇପ କରିଛି ଟିମ୍ ଇଣ୍ଡିଆ । ସିରିଜର ୩ଟି ଟି-୨୦ ମ୍ୟାଚରେ ବିଜୟୀ ହୋଇ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଶେଷ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ମାତ୍ ଦେବା ସହ ରୋହିତ-ରାହୁଲ ଯୁଗର ନୂଆ ଆରମ୍ଭ ହୋଇଛି । ମୁଖ୍ୟ କୋଚ୍ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ସିରିଜରେ ଦଳର ଏଭଳି ଦମଦାର ପ୍ରଦର୍ଶନ ପାଇଁ ରାହୁଲ ଦ୍ରାବିଡଙ୍କୁ ପ୍ରଂଶସା କରାଯାଉଛି । କିନ୍ତୁ ଏହି ବିଜୟ ପରେ ଟିମ୍ ଇଣ୍ଡିଆକୁ କଡା ଚେତାବନୀ ଦେଇଛନ୍ତି ରାହୁଲ ଦ୍ରାବିଡ । ଦଳର ବିଜୟରେ ରାହୁଲ ଖୁସି ଥିବା ବେଳେ ଖେଳାଳୀ ମାନଙ୍କୁ ଅଧିକ ଉତ୍ସାହିତ ନ ହେବା ସହ ଆକାଶରେ ନ ଉଡି ମାଟିରେ ପାଦ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି ।

ବିଜୟ ପରେ ରାହୁଲ ଦ୍ରାବିଡ କହିଛନ୍ତି, ଏହି ଟିମରୁ ୩ରୁ ୪ ଜଣ ଖେଳାଳୀ ଟେଷ୍ଟ ମ୍ୟାଚ୍ ପାଇଁ କାନପୁର ଯିବେ । ଆଉ ଏଥିପାଇଁ ସେମାନଙ୍କୁ ୭.୩୦ରେ ଉଠିବାକୁ ପଡିବ । ତେଣୁ ଏମାନଙ୍କୁ ଛାଡି ଟିମର ଅନ୍ୟ ଖେଳାଳୀ ମାନେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅନିଦ୍ରା ରହିପାରିବେ ଓ ବିଜୟର ଉତ୍ସବ ମନାଇ ପାରିବେ । ଏହାସହ ଦ୍ରାବିଡ କହିଛନ୍ତି, ଟିମରେ ଥିବା ଯୁବ ଖେଳାଳୀ ମାନେ ଦମଦାର ପ୍ରଦର୍ଶନ କରିଛନ୍ତି । ଆମେ ସେହି ଖେଳାଳୀଙ୍କୁ ସୁଯୋଗ ଦେଇଛୁ ଯେଉଁମାନେ ଗତ କିଛି ମାସ ହେବ ଅଧିକ କ୍ରିକେଟ ଖେଳିନାହାନ୍ତି । ଯୁବ ଖେଳାଳୀଙ୍କ ପ୍ରଦର୍ଶନ ପରେ ଲାଗୁଛି ଯେ ଆମ ପାଖରେ ଅନେକ ଭଲ ବିକଳ୍ପ ରହିଛି । ତେବେ ଆଗକୁ ଆହୁରି ଅନେକ କ୍ରିକେଟ ଖେଳିବାକୁ ବାକି ଅଛି । ଖାସକରି ଟି-୨୦ ବିଶ୍ୱକପକୁ ଆହୁରି ୧୦ ମାସରୁ ଅଧିକ ସମୟ ବାକି ରହିଛି । ତେଣୁ ଆଗକୁ ସ୍ଥିତି ଏତେଟା ସହଜ ରହିବନି ବୋଲି ଦ୍ରାବିଡ କହିଛନ୍ତି । ତେବେ କିଛି ସିନିୟର ଖେଳାଳୀଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ସେମାନେ ଟିମରେ ଯୋଗ ଦେବା ପରେ ଦଳ ଆହୁରି ଶକ୍ତିଶାଳୀ ହେବ । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଆମେ ଏକ ଶକ୍ତିଶାଳୀ ଟିମ୍ ଗଢି ତୋଳିବାକୁ ଯେଉଁ ପ୍ରସ୍ତୁତି ଆବଶ୍ୟକ ସେଥିରେ ଟିକିଏ ବି ହେଳା କରିବୁନି ।