କନକ ବ୍ୟୁରୋ : ହୃଦୟ ଜିତିଲେ ରାହୁଲ । ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ ପଦରୁ ଅବସର ନେବା ପରେ ମହାନତା ଦେଖାଇଛନ୍ତି ରାହୁଲ ଦ୍ରାବିଡ । ମୁଖ୍ୟ କୋଚ ଭାବେ ବିସିସିଆଇ ପକ୍ଷରୁ ମିଳିଥିବା ୫ କୋଟି ଟଙ୍କାର ବୋନସ ନେବାକୁ ସେ ମନା କରିଦେଇଛନ୍ତି । ଅନ୍ୟ ସହଯୋଗୀ କୋଚ ମାନଙ୍କୁ ଅଢ଼େଇ କୋଟି ଟଙ୍କା ମିଳୁ ଥିବାରୁ ତାଙ୍କୁ ମଧ୍ୟ ସମାନ ପରିମାଣର ଅର୍ଥ ପ୍ରଦାନ କରାଯାଉ ବୋଲି ସେ ବିସିସିଆଇକୁ ଅପିଲ କରିଛନ୍ତି । ଟି-୨୦ ବିଶ୍ବକପ ଜିତିବା ପରେ ଭାରତୀୟ ଖେଳାଳି ଓ ସହଯୋଗୀଙ୍କ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଥିଲା ବସିସିଆଇ । କିନ୍ତୁ ନିଜ ବୋସନର ଅଧା ପରିମାଣ ନେବାକୁ ମନା କରି ରାହୁଲ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅନ୍ୟ କୋଚଙ୍କ ସହ ଭେଦଭାବ ହେଉ, ତାହା ଚାହୁଁ ନାହାନ୍ତି ରାହୁଲ । ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମଧ୍ୟ ଏପରି କରିସାରିଛନ୍ତି ରାହୁଲ । ୨୦୧୮ରେ ଭାରତ ଅଣ୍ଡର ୧୯ ବିଶ୍ବକପ ଜିତିଥିଲା । ସେତେବେଳେ ଦ୍ରାବିଡ ଥିଲେ ମୁଖ୍ୟ କୋଚ । ଦ୍ରାବିଡଙ୍କୁ ବିସିସିଆଇ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଅନ୍ୟ ସହଯୋଗୀ କୋଚଙ୍କୁ ୨୦ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା । କିନ୍ତୁ ରାହୁଲ ୫୦ ଲକ୍ଷ ଟଙ୍କା ନେବାକୁ ମନା କରିବା ପରେ ବସିସିଆଇ ପକ୍ଷରୁ ରାହୁଲଙ୍କ ସମେତ ଅନ୍ୟ ସହଯୋଗୀ କୋଚ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ବୋନସ ପ୍ରଦାନ କରାଯାଇଥିଲା । ରାହୁଲଙ୍କ ଏଭଳି କାର୍ୟ୍ୟ ସମସ୍ତ କ୍ରୀଡ଼ାପ୍ରେମୀ ଓ ଦେଶବାସୀଙ୍କ ଦୃଦୟ ଜିତିଛି ।