ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ ବଡପଣ । ସୁନ୍ଦର ପିଚ୍ ପ୍ରସ୍ତୁତ ପାଇଁ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଲେ ୩୫ ହଜାର ଟଙ୍କା ।

263

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡଙ୍କ ବଡପଣ । କାନପୁର କ୍ରିକେଟ୍ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେଲେ ୩୫ ହଜାର ଟଙ୍କା । ଗୋଟିଏ ସୁନ୍ଦର ପିଚ୍ ପ୍ରସ୍ତୁତ କରିଥିବାରୁ ରାହୁଲ ଦ୍ରାବିଡ୍ କାନପୁର କ୍ରିକେଟ୍ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଏହି ଟଙ୍କା ଦେଇ ସମ୍ମାନିତ କରିଛନ୍ତି ।

କାନପୁରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚର ଶେଷ ଦିନରେ ଦ୍ରାବିଡ, ଗ୍ରାଉଣ୍ଡ ଷ୍ଟାଫଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଗ୍ରାଉଣ୍ଡ ଷ୍ଟାଫଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପିଚଟି ଖେଳର ପଞ୍ଚମ ଦିନ ପର୍ଯ୍ୟନ୍ତ ମଧ୍ୟ ଭଲ ଥିବାରୁ ଦ୍ରାବିଡ୍ ଏପରି କରିଛନ୍ତି । ଏହାପରେ ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏଥିରେ ରାହୁଲ ଦ୍ରାବିଡ ଗ୍ରାଉଣ୍ଡ ଷ୍ଟାଫଙ୍କୁ ୩୫ ହଜାର ଟଙ୍କା ଦେଇଥିବା କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ନ୍ୟୁଜିଲାଣ୍ଡ ଏବେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ଖେଳିବାକୁ ଭାରତ ଗସ୍ତରେ ଆସିଛି । ଏହି କ୍ରମରେ ଆଜି କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଡ୍ରରେ ଶେଷ ହୋଇଛି । ନ୍ୟୁଜିଲାଣ୍ଡ ପାଖରେ ବିଜୟ ପାଇଁ ଟିମ୍ ଇଣ୍ଡିଆ ୨୮୪ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ, ନ୍ୟୁଜିଲାଣ୍ଡ ଆଜି ଦିନ ଶେଷ ସୁଦ୍ଧା ୯ ୱିକେଟ ହରାଇ କେବଳ ୧୬୫ ରନ୍ କରିପାରିଥିଲା । ଫଳରେ ଟିମ୍ ଇଣ୍ଡିଆ କେବଳ ୧ ୱିକେଟ୍ ପାଇଁ ବିଜୟଠୁ ପଛରେ ରହିଯାଇଥିଲା ।

ଏହି ମ୍ୟାଚରେ ପିଚକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ମ୍ୟାଚର ପଞ୍ଚମ ଦିନରେ ମଧ୍ୟ କାନପୁର ପିଚରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା । ପଞ୍ଚମ ଦିନରେ ଅଧିକାଂଶ ପିଚର ମାନ ନିମ୍ନ ହେଇଯାଉଥିବାବେଳେ , କାନପୁରରେ କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନଥଲା । ଯାହା ଫଳରେ ଦ୍ରାବିଡ୍ ଗ୍ରାଉଣ୍ଡ ଷ୍ଟାଫଙ୍କ ଉପରେ ଖୁସି ହୋଇ ସେମାନଙ୍କୁ ୩୫ ହଜାର ଟଙ୍କା ଦେଇଛନ୍ତି ।