ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ମୁଖ୍ୟ କୋଚ୍ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଲା ବିସିସିଆଇ ।

117

କନକ ବ୍ୟୁରୋ: ଟିମ୍ ଇଣ୍ଡିଆକୁ ଗୁରୁମନ୍ତ୍ର ଦେବେ ଦ୍ରାବିଡ୍ । ଦି ୱାଲଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବୁଧବାର କ୍ରିକେଟ୍ ଆଡଭାଇଜରି କମିଟି ଦ୍ରାବିଡଙ୍କୁ ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଛନ୍ତି । ଏଥସହିତ ଆସନ୍ତା ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦ୍ରାବିଡ୍ ଦଳର ଦାୟିତ୍ୱ ନେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ପୂରା ହେବାକୁ ଯାଉଛି । ଏଥିପାଇଁ ଗତ ଅକ୍ଟୋବର ୨୬ ତାରିଖରେ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ ଆହ୍ୱାନ କରିଥିଲା ବିସିସିଆଇ । ତେବେ ଏହି ପଦ ପାଇଁ ଦ୍ରାବିଡଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା । ପରେ ଏହି ପଦ ପାଇଁ ସେ ଫର୍ମ ଭରିବା ସହିତ ଆଜି ତାଙ୍କୁ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ବିସିସିଆଇ ରବି ଶାସ୍ତୀ (ମୁଖ୍ୟ କୋଚ୍), ବି. ଅରୁଣ (ବୋଲିଂ କୋଚ୍), ଆର. ଶ୍ରୀଧର (ଫିଲଡିଂ କୋଚ୍) ଏବଂ ବିକ୍ରମ ରାଠୋର (ବ୍ୟାଟିଂ କୋଚ୍)ଙ୍କୁ ତାଙ୍କର ଏହି କାର୍ଯ୍ୟକାଳ ପାଇଁ ଧନ୍ୟବାଦ ଦେଇଛି । ତାଙ୍କର ନେତୃତ୍ୱରେ ଦଳ ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିବା ସହିତ ଟେଷ୍ଟରେ ନମ୍ବର ୱାନ୍ ସ୍ଥାନ ଗ୍ରହଣ କରିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପୟନସିପର ଫାଇନାଲରେ ପହଞ୍ଚିଥିଲା । ଖାଲି ସେତିକି ନୁହେଁ ଦଳ ଅନେକ ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା ବୋଲି ବିସିସିଆଇ କହିଛନ୍ତି ।

ସେହିପରି ନୂଆ କୋଚ୍ ହେବାକୁ ଥିବା ରାହୁଲ ଦ୍ରାବିଡଙ୍କୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ଏହି ପଦ ତାଙ୍କ ପାଇଁ ସମ୍ମାନଜନକ । ଶାସ୍ତ୍ରୀଙ୍କ କାର୍ଯ୍ୟକାଳରେ ଦଳ ଭଲ ପ୍ରଦର୍ଶନ କରିଛି । ତେଣୁ ଆଗାମୀ ଦିନରେ ଦଳ ସହ କାମ କରିବା ତାଙ୍କ ପାଇଁ ସମ୍ମାନର କଥା ବୋଲି କହିଛନ୍ତି ରାହୁଲ ଦ୍ରାବିଡ୍ ।