କନକ ବ୍ୟୁରୋ : କଂଗ୍ରେସ ଦଳରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତା କଂଗ୍ରେସର ସଙ୍ଗଠନକୁ ନେଇ ଯେଉଁ ଅପ୍ରିୟ ସତକୁ ସାମ୍ନାକୁ ଆଣିଛନ୍ତି ତାହାକୁ ନେଇ ଦଳ ଭିତରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ଏପରିକି ଦଳ ବିରୋଧରେ ମନ୍ତବ୍ୟ ରଖିଥିବା ନେତାଙ୍କୁ ଏଆଇସିସିର ଶୃଙ୍ଖଳା କମିଟି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯାହା ଦଳ ଭିତରେ ଅସନ୍ତୋଷକୁ ଆହୁରି ବଢାଉଥିବା ନେଇ କର୍ମୀମହଲରେ ଚର୍ଚ୍ଚା ଜୋର ଧରିଛି । ଦଳର ନେତାଙ୍କ ମଧ୍ୟରେ ସବୁ କିଛି ଠିକଠାକ୍ ଚାଲିନଥିବା ନେଇ ବାର୍ତ୍ତା ଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏସବୁ ଭିତରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ରାହୁଲ ଓଡିଶା ଆସି କଂଗ୍ରେସ ନେତାଙ୍କ ଭିତରେ ଥିବା ବିବାଦ ଠିକ କରିବା ଦରକାର । ସୋନିଆ ଗାନ୍ଧୀ କିମ୍ୱା ଖଡ଼ଗେ ଆସିଲେ ଵି ଭଲ ହେବ ବୋଲି କହିଛନ୍ତି ସୁର । ସେହିପରି ଚିରଞ୍ଜିବୀ ଓ ମୋକିମ ଉଚିତ ମନ୍ତବ୍ୟ ଦେଇ ନ ଥିଲେ ମଧ୍ୟ ଦଳକୁ ସୁଦୃଢ କରିବା ପାଇଁ ସେମାନେ ଦଳରେ ରହିବା ଦରକାର ବୋଲି ସୁର କହିଛନ୍ତି ।
ଏହାସହ ସୁର କହିଛନ୍ତି, ଖୁବ ଶୀଘ୍ର ରାହୁଲଙ୍କୁ ଭୁବନେଶ୍ୱର ଡାକି ଏକ ବିରାଟ ସଭାର ଆୟୋଜନ କରାଯିବ । ଯେଉଁଠି ରାଜ୍ୟ ନେତାଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବା ସହ ୨୦୨୪ ଲଢେଇ ପାଇଁ ଦଳୀୟ ନେତାଙ୍କୁ ଏକଜୁଟ୍ କରିବେ ରାହୁଲ । ରାଜସ୍ଥାନରେ ଆଗକୁ ନିର୍ବାଚନ ଥିବାରୁ ସେଠାରେ ମଧ୍ୟ ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ଥିବା ବିବାଦକୁ ଦୂର କରିବାକୁ ରାହୁଲ ଗାନ୍ଧୀ ଓ ଖଡଗେ ଉଭୟଙ୍କୁ ଏକାଠି ବସାଇ ଆଲୋଚନା କରିଛନ୍ତି । ଆଗାମୀ ନିର୍ବାଚନରେ ରାଜସ୍ଥାନରେ ଉଭୟ ଗୋଷ୍ଠୀ ଏକାଠି ହୋଇ ଲଢିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାରେ ମଧ୍ୟ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରି କଂଗ୍ରେସକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ ହେବ ବୋଲି କହିଛନ୍ତି ସୁର ।