କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ ଯୁବ କ୍ରିକେଟର ରାହୁଲ ଚହର । ବୁଧବାର ଗୋଆରେ ନିଜର ନିକଟ ସମ୍ପର୍କୀୟଙ୍କ ଗହଣରେ ପ୍ରେମିକା ଇଶାନୀ ଜୋହରଙ୍କ ହାତ ଧରିଛନ୍ତି ରାହୁଲ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ରାହୁଲଙ୍କ ବାହାଘରରେ ଭାଇ ଦୀପକ ଚହର ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବିବାହ ପୂର୍ବରୁ ହୋଟେଲରେ ହଳଦୀ ସେରିମନି ମଧ୍ୟ ହୋଇଥିଲା । ଯେଉଁଥିରେ ରାହୁଲ ଓ ଦୀପକଙ୍କୁ ବେଶ ମଜାଳିଆ ଅନ୍ଦାଜରେ ଦେଖିବାକୁ ମିଳିଥିଲା ।
ପ୍ରେମିକା ଇଶାନୀଙ୍କ ସହ ରାହୁଲଙ୍କର ଗତ ୨୦୧୯ରେ ନିର୍ବନ୍ଧ ଶେଷ ହୋଇଥିଲା । କିନ୍ତୁ କରୋନା କାରଣରୁ ବାହାଘରକୁ ଘୁଞ୍ଚାଇଥିଲେ ରାହୁଲ । ଦୀର୍ଘଦିନ ଧରି ଇଶାନୀଙ୍କୁ ଡେଟିଂ କରୁଥିଲେ ରାହୁଲ । ନିଜ ହଳଦୀ ସେରିମନିର ଫଟୋ ମଧ୍ୟ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ରାହୁଲ ।
View this post on Instagram
ରାହୁଲ ଚହର ଏଯାବତ ଟିମ୍ ଇଣ୍ଡିଆ ପକ୍ଷରୁ ୬ଟି ଟି-୨୦ ଖେଳିଥିବା ବେଳେ ଗୋଟିଏ ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୨୦୧୭ରେ ଆଇପିଏଲରେ ଡେବ୍ୟୁ କରିଥିବା ରାହୁଲଙ୍କ ଭାଗ୍ୟ ଫିଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ବେଳେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରାହୁଲ । ପରେ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଥିଲା । ଚଳିତ ଆଇପିଏଲ ମହାନିଲାମୀରେ ରାହୁଲଙ୍କୁ ୫.୨୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଥିଲା । ଆଇପିଏଲରେ ରାହୁଲ ଏଯାବତ୍ ୪୨ଟି ମ୍ୟାଚ୍ ଖେଳିଥିବା ବେଳେ ୪୩ଟି ୱିକେଟ ହାସଲ କରିଛନ୍ତି । ଉଭୟ ରାହୁଲ ଓ ଦୀପକ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି ।