ଓଡ଼ିଶା ଦାୟିତ୍ୱରୁ ହଟିଲେ ଶୁଭଙ୍କର ସରକାର ! ଦଳକୁ ସୁଦୃଢ କରିବା ପାଇଁ ୪ ନେତାଙ୍କୁ ଦାୟିତ୍ୱ ଦେଲେ କଂଗ୍ରେସ ହାଇକମାଣ୍ଡ

38

କନକ ବ୍ୟୁରୋ : ବଦଳିଲେ ଶୁଭଙ୍କର ସରକାର । ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ପଦରୁ ଶୁଭଙ୍କର ସରକାର ହଟିଲେ । ରାଜ୍ୟ କଂଗ୍ରେସର ଦାୟିତ୍ୱରୁ ଶୁଭଙ୍କର ସରକାରଙ୍କୁ ହଟାଇ ଦିଆଯାଇଛି । ତେବେ ଶୁଭଙ୍କର ସରକାରଙ୍କ ବଦଳରେ ୪ ଜଣଙ୍କୁ ଓଡ଼ିଶା କଂଗ୍ରେସର ଦାୟିତ୍ୱ ଦିଆଯାଇଛି । ୩ ଜଣ ନୂଆ ଏଆଇସିସି ସମ୍ପାଦକଙ୍କୁ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ , ଦିଲ୍ଲୀର ପୂର୍ବତନ ବିଧାୟକ ଅନୀଲ କୁମାର ଚୌଧୁରୀ ଓ ପୂର୍ବତନ ବିଧାୟକ ଶେଖ ମସ୍ତାନ ବାଲିଙ୍କୁ ଓଡ଼ିଶାର ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ସେହିଭଳି ଓଡ଼ିଶା ପାଇଁ ଆଦିତ୍ୟ ଶର୍ମାଙ୍କୁ ଏଆଇସିସି ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହାସହ ନବନିଯୁକ୍ତ ଚାରି ସମ୍ପାଦକଙ୍କୁ ଯଥାଶୀଘ୍ର ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ଆମ୍ବେଦକର ଜୟନ୍ତୀରେ କଂଗ୍ରେସର ନବକଳେବର ହେବା ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସୂଚନା ଦେଇଥିଲେ । ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପୂର୍ବରୁ କଂଗ୍ରେସର ଓଡ଼ିଶା ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ହଟାଇ କେନ୍ଦ୍ରୀୟ ନେତା ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି କରିଥିଲେ । ତେବେ ପିସିସିରେ ରାହୁଲଙ୍କ ଏଭଳି ପରିବର୍ତନ କଂଗ୍ରେସକୁ ଫାଇଦା ଦେବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।