ଏବେ ବି ଜଳୁଛି ଶିମିଳିପାଳ : ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୪୭ଟି ସ୍ଥାନରେ ଲାଗିଛି ନିଆଁ, ନାସାର ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ

ପରିବେଶବିତଙ୍କ ଦାବି ଜଙ୍ଗଲ ନିଆଁ ବଢାଉଛି ତାତି; ସେପଟେ ନୀଳଗିରିର ଜଳୁଛି ଦେବଗିରି ପାହାଡ ଓ କଟକ ବାଙ୍କୀର ଶାଳ ଜଙ୍ଗଲ

153

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶିମିଳିପାଳର ନିଆଁ । ପୂର୍ବ ଭଳି ହୁହୁ ହୋଇ ଅତି ଭୟଙ୍କର ଭାବରେ ଜଳୁଛି ଶିମିଳିପାଳ ଜଙ୍ଗଲ । ଅନ୍ୟପଟେ ଗତ କିଛିଦିନ ଧରି ମୟୂରଭଞ୍ଜରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହି ଆସୁଥିବା ବେଳେ ଗତ ୩୦ ତାରିଖ ମଙ୍ଗଳବାରରେ ଓଜିମେଟର ରିପୋର୍ଟ ଅନୁସାରେ ବାରିପଦା ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ବୋଲି ଜଣାଯାଇଛି ।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାତ୍ରାଧିକ ବା ରେକର୍ଡ ମାତ୍ରାର ଗ୍ରୀଷ୍ମପ୍ରବାହ ପାଇଁ କେବଳ ଶିମିଳିପାଳର ନିଆଁ ବୋଲି ପରିବେଶବିତ୍ ମାନେ ଦାବି କରିଛନ୍ତି । ଶିମିଳିପାଳର ଦୁଇଟି ରେଂଜ ତଥା ପୋଡାଡିବା ଏବଂ ଡୁକୁରା ରେଞ୍ଜରେ ଏବେ ବ୍ୟାପିବାରେ ଲାଗିଛି ନିଆଁ । ଏଥର ମଧ୍ୟ କୋର ଏରିଆରେ ନିଆଁ ଲାଗିଥିବା ଦାବି କରିଛନ୍ତି ପରିବେଶବିତ୍ । ନାସାର ରିପୋର୍ଟ ଅନୁସାରେ ଏବେ ବି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ୪୭ଟି ଜାଗାରେ ନିଆଁ ଲାଗିଛି । ପୋଡାଡିହା ରେଞ୍ଜର ଅନନ୍ତପୁର, ବାଲିନାଳ ଏବଂ ଡୁକୁରା ରେଂଜର ମାଣିକପୁର, ବାଲମା ଆଦି ଅଂଚଳରେ ଭୟଙ୍କର ରୁପ ଧାରଣ କରିଛି ନିଆଁ ।

ଯାହାକୁ ନେଇ ଏବେ ଚିନ୍ତାରେ ଶିମିଳିପାଳ ପାଦରେ ବସବାସ କରୁଥିବା ଲୋକେ । ନିଆଁ ଏବେ ଜଙ୍ଗଲରୁ ଗାଁ ମାନଙ୍କୁ ମାଡିଆସୁଥିବା ବେଳେ ବନବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଆକର୍ଷଣ କରୁନଥିବା ଅଭିଯୋଗ ହୋଇଛି । ତେବେ ଦୁଇ ଦୁଇ ଥର ନିଆଁ ଲାଗିବା ଘଟଣା ଶିମିଳିପାଳ ପାଇଁ ଏକ ମହା ବିପଦ ବୋଲି କୁହାଯାଇପାରିବ ।