ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ! ସିନିୟରଙ୍କ ମାଡ଼ରେ ଡାକ୍ତରୀ ଛାତ୍ର ଆହତ!

153

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡିକାଲ କଜେଲରୁ ପୁଣି ଆସିଲା ଛାତ୍ରଙ୍କୁ ରାଗିଂ ଅଭିଯୋଗ । ରାଗିଂର ଶିକାର ହୋଇଛନ୍ତି ଏମବିବିଏସର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ରାଉତ । ଏ ନେଇ ସେ ଥାନାରେ ଅଭିଯୋଗ କରିବା ସହ ଟ୍ୱିଟ୍ କରି ଏମକେସିଜି କର୍ତୃପକ୍ଷ, ବ୍ରହ୍ମପୁର ଏସପି, ଗଂଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାମଲା ଏବେ ଥାନାରେ ପହଂଚିଥିବା ବେଳେ ଆଂଟି ରାଗିଂ ସେଲ୍ ଘଟଣାର ତଦନ୍ତ କରୁଥିବା କଲେଜର ଡିନ୍ କହିଛନ୍ତି ।

ରାଗିଂକୁ ନେଇ ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଏମବିବିଏସ ଛାତ୍ର ରୁଦ୍ର ରାଉତଙ୍କୁ କ୍ୟାମ୍ପସ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ରୁଦ୍ର ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଚାଲିଥିବା ଏକ ବ୍ୟାଣ୍ଡପାର୍ଟିକୁ ଅଭ୍ୟାସ ପାଇଁ ଯାଇଥିଲେ । ହେଲେ କୌଣସି କାରଣକୁ ନେଇ ସେଠାରେ ଉପସ୍ଥିତ ଥିବା ୨ଜଣ ସିନିୟର ଛାତ୍ର, ରୁଦ୍ରଙ୍କୁ ମାଡ଼ ମାରିଥିଲେ । ଆକ୍ରମଣରେ ରୁଦ୍ର ଚେତାଶୂନ୍ୟ ହୋଇଯାଇଥିଲେ । ତେବେ ରାଗିଂ କଥାକୁ ସ୍ୱୀକାର କରିଛନ୍ତି କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ସନ୍ତୋଷ ମିଶ୍ର । ଘଟଣାରେ ଆଂଟି ର୍ୟାଗିଂ ସେଲ୍ ତଦନ୍ତ କରୁଥିବା ଡିନ୍ ସୂଚନା ଦେଇଛନ୍ତି ।

ସେପଟେ ଘଟଣାକୁ ନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଟ୍ୱିଟ୍ କରି ଏମକେସିଜି କର୍ତୃପକ୍ଷ, ବ୍ରହ୍ମପୁର ଏସପି, ଗଂଜାମ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୋଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀ ।
ପୂର୍ବରୁ ମଧ୍ୟ ରାଗିଂ ନେଇ ବାରମ୍ବାର ଅଭିଯୋଗ ଆସିଛି । ତେବେ ରୁଦ୍ରଙ୍କୁ ରାଗିଂ କରାଯାଇଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।