ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି ଅଧିକ ଲାଭ

120

କନକ ବ୍ୟୁରୋ : କ୍ଷେତରେ ଲହଡୀ ଭାଙ୍ଗୁଛି ପେନ୍ଥାପେନ୍ଥା ମାଣ୍ଡିଆ । ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଛି କେବଳ ମାଣ୍ଡିଆ ହିଁ ମାଣ୍ଡିଆ ଦିଶୁଛି । ଏହେଉଛି ଠିକ୍ ଅମଳ ପୂର୍ବର ଦୃଶ୍ୟ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରୁପାବାହାଲ ଗାଁର ଚାଷୀ ମାନେ ଫଳାଇଛନ୍ତି ଏହି ସୁନାର ଫସଲ । ଅନୁକୁଳ ପାଗ ଏବଂ ପଡିଆ ଜମିରେ ଅତି ସହଜରେ ହେଇପାରୁଛି ଏହି ମାଣ୍ଡିଆ ଚାଷ । ଆଉ ସେଥିପାଇଁ ଚାଷୀଙ୍କୁ ବେଶ୍ ଆକୃଷ୍ଟ କରିଛି ଏହି ଚାଷ । ଧାନ କିମ୍ବା ଅନ୍ୟ ପାରମ୍ପରିକ ଚାଷ ଠାରୁ ମାଣ୍ଡିଆ ଚାଷରୁ ଭଲ ଅମଳ ଏବଂ ଲାଭ ମିଳୁଛି । ଅନ୍ୟ ଚାଷ ତୁଳନାରେ ଖର୍ଚ୍ଚ କମ, ପରିଶ୍ରମ କମ ତା ସହିତ କମ ପାଣିରେ ଲାଭ ବେଶୀ ହେଉଛି । ଧାନ ଚାଷ କଲେ ରୋଗ ପୋକର ଆଶଙ୍କା ଅନେକ ମାତ୍ରାରେ ରହିଥାଏ ହେଲେ ମାଣ୍ଡିଆ ଚାଷ କ୍ଷେତ୍ରରେ ତାହା କମ୍ । ଏହି ଚାଷ କରି ବର୍ତମାନ ସୁନ୍ଦରଗଡ ରୁପାବାହାଲ ଗାଁର ଚାଷୀ ବେଶ୍ ଲାଭାନ୍ୱିତ ହେଉଛନ୍ତି ।

ପୁଷ୍ଟିଶସ୍ୟ ଭାବରେ ଏଇ କିଛି ବର୍ଷ ହେଲା ମାଣ୍ଡିଆ ବେଶ୍ ଆଦୃତି ଲାଭ କରିଛି । ସମାଜର ପ୍ରତେକ ବର୍ଗର ବ୍ୟକ୍ତି ଏହାକୁ ଧୀରେ ଧୀରେ ଗ୍ରହଣ କରିବାକୁ ଲାଗିଲେଣି । ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ,କ୍ୟାଲସିୟମ, ଫାଇବର, ପ୍ରୋଟିନ ଓ କାର୍ବୋହାଇଡ୍ରେଟ୍ସ ଥିବା ଯୋଗୁଁ ଏହା ବେଶ ସ୍ୱାସ୍ଥ୍ୟ ଉପଯୋଗୀ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରାକର ମିଲେଟ ମିଶନ ଜରିଆରେ ଚାଷ ଓ ଏହାର ବ୍ୟବହାର ପାଇଁ ସଚେତନ ଏବଂ ପ୍ରୋତ୍ସାହିତ କରୁଛନ୍ତି । ଆଉ ଏହି ମାଣ୍ଡିଆ ଉତ୍ପାଦନ ଓ ବ୍ୟବହାରରେ ସୁନ୍ଦରଗଡ ଜିଲ୍ଲା ର ଉଲ୍ଲେଖନୀୟ ଅବଦାନ ରହିଛି । ଏଥିପାଇଁ ସୁନ୍ଦରଗଡ ଜିଲ୍ଲାକୁ ପୁରସ୍କୃତ ମଧ୍ୟ କରାଯାଇଛି । ମିଲେଟ ମିଶନ ଅଧିନରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକ ଜରିଆରେ ଚାଷୀଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି । ଏହା ସହିତ ଚାଷୀ ଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ ବିହନ ଓ ବିକ୍ରି ପାଇଁ ମଣ୍ଡି ର ସୁବ୍ୟବସ୍ଥା କରାଯାଉଥିବାରୁ ଚାଷୀ ମଧ୍ୟ ଏହି ଚାଷ ଆଡକୁ ଆକୃଷ୍ଟ ହେଉଛନ୍ତି ।

ପାଶ୍ଚାତ୍ୟ ସଂସ୍କୃତି ପରମ୍ପରା ଓ ଖାଦ୍ୟରୁ ମୁହଁ ମୋଡି ପୁଣି ପୁରୁଣା ପାରମ୍ପରିକ ପୁଷ୍ଟିଶସ୍ୟ ଖାଦ୍ୟ ପ୍ରତି ଆଧୁନିକ ସମାଜ ଆକୃଷ୍ଟ ହେଉଥିବା ବେଳେ ମାଣ୍ଡିଆ ସେଥିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି    ।