ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ, ମୋଦି ଓ ଯୋଗୀଙ୍କ ବିରୋଧରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ଜିଅନ୍ତା ପୋତି ଦେବି ।

191

କନକ ବ୍ୟୁରୋ : ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଯୋଗୀ ସରକାରରେ ରାଜ୍ୟମନ୍ତ୍ରୀ ଥିବା ରଘୁରାଜ ସିଂ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ହେଉଥିବା ରାଲିରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ରବିବାର ଆଲିଗଡ ନୁମାଇଶ ଗ୍ରାଉଣ୍ଡରେ ଭାଷଣ ଦେଉଥିବା ସମୟରେ ରଘୁରାଜ କହିଛନ୍ତି, ମୋଦି ଓ ଯୋଗୀଙ୍କ ବିରୋଧରେ ନାରା ଲଗାଉଥିବା ବ୍ୟକ୍ତିଙ୍କୁ ଜିଅନ୍ତା ପୋତିଦେବି ।

ଏହାପୂର୍ବରୁ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ଲଗାତାର ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି । ଆଉ ଏହି ଆନ୍ଦୋଳନ ପ୍ରଦର୍ଶନ ସମୟରେ ମୋଦି ଓ ଯୋଗୀଙ୍କ ବିରୋଧରେ ନାରା ଦେଉଛନ୍ତି ପ୍ରଦର୍ଶନକାରୀ । ଆଉ ଏଭଳି ସ୍ଥିତିରେ ଯୋଗୀଙ୍କ ମନ୍ତ୍ରୀଙ୍କ ଏଭଳି ବୟାନ ନୂଆ ବିବାଦ ଛିଡା କରିଛି ।

ଏହି ସଭାରେ ରଘୁରାଜ କେବଳ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ନେହେରୁଙ୍କର କୌଣସି ଜାତି ନାହିଁ ଓ ତାଙ୍କର କୌଣସି ଖାନଦାନ ନାହିଁ ବୋଲି କହିଛନ୍ତି ରଘୁରାଜ । ଏହି ଦେଶ ହିନ୍ଦୁ, ମୁସଲମାନ, ଶିଖ ଭଳି ସବୁ ସମ୍ପ୍ରଦାୟର । ତେଣୁ ମୋଦି ଓ ଯୋଗୀଙ୍କ ବିରୋଧରେ ଏଭଳି ନାରା ଦେବା ଉଚିତ୍ ନୁହେଁ । ଏହାପୂର୍ବରୁ ମଧ୍ୟ ଏଭଳି କିଛି ବୟାନ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି ରଘୁରାଜ ।