ରଘୁନାଥପାଲୀ ପଲିଟିକ୍ସ । ବିଜେଡିକୁ ଅଡୁଆ ଗୋଷ୍ଠୀକନ୍ଦଳ ! ଫାଇଦା ନେବାକୁ ବିଜେପି-କଂଗ୍ରେସ କଷୁଛନ୍ତି ବଳ ।

178

କନକ ବ୍ୟୁରୋ: ଆସନ୍ତା ଏପ୍ରିଲ ୧୮ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୫ଟି ଲୋକସଭା କ୍ଷେତ୍ରରେ ମତଦାନ ସାବ୍ୟସ୍ତ କରିବେ ଭୋଟର । ସେହିଭଳି ଏଥିରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଯାଉଥିବା ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ରଘୁନାଥପାଲୀ କ୍ଷେତ୍ରକୁ ନେଇ ସରଗରମ ହୋଇଛି ରାଜନୀତି । କାରଣ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ସୁନ୍ଦରଗଡ଼ ଜିଲ୍ଲାର ଏକମାତ୍ର ବିଧାନସଭା ଆସନ ରଘୁନାଥପାଲୀରୁ ନିର୍ବାଚନ ଲଢିବା ପାଇଁ ଏଥର ସବୁ ଦଳରୁ ଅନେକ ଆଶାୟୀ । ଯାହାକି ବିଦ୍ରୋହ ବଢ଼ାଇବାରେ ଲାଗିଛି ।

ବିଗତ ଦୁଇ ନିର୍ବାଚନରେ ସୁବ୍ରତ ତରାଇ ରଘୁନାଥପାଲୀ ଆସନରୁ ବିଜୟୀ ହୋଇଥିଲେ । ୨୦୦୯ ନିର୍ବାଚନରେ ସୁବ୍ରତ ତରାଇ ୩୫ ହଜାର ୨୩ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୪ ନିର୍ବାଚନରେ ୪୯ ହଜାର ୭୪ଖଣ୍ଡ ଭୋଟ ଅର୍ଥାତ୍ ୧୪ ହଜାରରୁ ଅଧିକ ଭୋଟ ପାଇଥିଲେ । ପୂର୍ବାପେକ୍ଷା ବିଜେଡିର ମତଦାନ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଥିଲା । ପ୍ୟାରୀଙ୍କ ମିଡ୍ ନାଇଟ୍ ଅପରେସନ କାରଣରୁ ରାଉରକେଲା ବିଧାୟକ ସାରଦା ନାୟକ ଅଚାନକ ମନ୍ତ୍ରୀ ପଦ ହରାଇବା ପରେ ପ୍ରଥମ ଥର ବିଧାୟକ ହୋଇ ବି ସୁବ୍ରତ ତରାଇ ମନ୍ତ୍ରୀ ହୋଇଥିଲେ। ୨୦୧୪ ନିର୍ବାଚନରେ ସୁବ୍ରତ ଦ୍ବିତୀୟ ଥର ନିର୍ବାଚିତ ହୋଇଥିବା ବେଳେ ସାରଦା ପରାଜିତ ହୋଇଥିଲେ। ଏହାସତ୍ୱେ ସୁବ୍ରତଙ୍କୁ ମନ୍ତ୍ରୀ ପଦ ମିଳିନଥିଲା।

ଲଗାତାର ଦୁଇ ଥର ନିର୍ବାଚନ ଜିତି ନିଜର ସ୍ଥିତିକୁ ସୁଦୃଢ କରିଥିବା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇଙ୍କୁ ମଧ୍ୟ ଟିକେଟ୍ ପାଇଁ ନିଜ ଦଳରୁ ବିରୋଧର ସାମ୍ନା କରିବାକୁ ପଡୁଛି । ସାରଦା ନାୟକଙ୍କ ଅତି ନିକଟତର ସମାଜସେବୀ ପ୍ରଶାନ୍ତ ସେଠୀ ଏଥର ବିଜେଡି ଟିକେଟ୍ ଦୌଡ଼ରେ । ନିଜେ ପ୍ରଶାନ୍ତ ଓ ତାଙ୍କ ସମର୍ଥକ ଖୋଲାଖୋଲି ସୁବ୍ରତଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ତାଙ୍କ ବିଫଳତାକୁ ପ୍ରଚାର କରୁଛନ୍ତି । ଏହାକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି ଟିକେଟ୍ ପାଇଁ ଯୁବ ନେତା ରୋହିତ ଦୀପ୍ ମଧ୍ୟ ଲବି କରୁଥିବା ଜଣାପଡ଼ିଛି ।

ସେହିପରି ଏଥର ବିଜେପିରୁ ପାନପୋଷ ସାଂଗଠନିକ ଜିଲ୍ଲା ବିଜେପି ସଭାପତି ଜଗବନ୍ଧୁ ବେହେରା, ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ସମ୍ପାଦକ ତଥା ଆଗଧାଡ଼ିର ସମାଜସେବୀ ଦୁର୍ଗା ତନ୍ତୀ ଓ ସନ୍ତୋଷ ବେହେରା ଟିକେଟ୍ ଆଶାୟୀ ଅଛନ୍ତି । ଏପରିକି ଦୀର୍ଘ ଦିନ ଧରି ସଂଘ ପରିବାର ସହିତ ସହିତ ଜଡ଼ିତ ଥିବାରୁ ଦୁର୍ଗା ତନ୍ତୀଙ୍କ ଉପରସ୍ତରରେ ଲବି ଜୋରଦାର ହୋଇଛି।

କଂଗ୍ରେସ ଦଳରୁ ଏଥର ଟିକେଟ୍ ପାଇଁ ବହୁ ଆଶାୟୀ ଅଛନ୍ତି । କଂଗ୍ରେସରୁ ଗୋପାଳ ଦାସ, ସନ୍ତୋଷ ତନ୍ତୀ ଓ ଗଜେନ୍ଦ୍ର ତନ୍ତୀଙ୍କ ନାମ ଶୁଣାଯାଉଛି । ତେବେ ପ୍ରାର୍ଥୀ ଚୟନରେ ଜର୍ଜ ତିର୍କୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ତେଣୁ ନିକଟରେ କଂଗ୍ରେସରେ ଯୋଗଦାନ କରିଥିବା ସମନ୍ତାକ୍ରାନ୍ତି ଦଳର ପୂର୍ବତନ ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ଉପରେ ଏବେ ନଜର ରହିଛି । କାରଣ ଜର୍ଜଙ୍କ ଅନୁଗତ ଗୋପାଳ ଦାସଙ୍କୁ ଏଠାରୁ ଟିକେଟ୍ ପାଇବା ପାଇଁ ପ୍ରମୁଖ ଦାବିଦାର ବୋଲି ଶୁଣିବାକୁ ମିଳୁଛି ।