କନକ ବ୍ୟୁରୋ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଶିଷ୍ଟ ପଥରଶିଳ୍ପୀ ରଘୁନାଥ ମହାପାତ୍ର, ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ, ସ୍ତମ୍ଭକାର ରାକେଶ ସିହ୍ନା ଓ ଦଳିତ ନେତା ରାମ ସାକାଲଙ୍କୁ ରାଜ୍ୟସଭା ପଠାଯାଇଛି । ରାଜ୍ୟସଭାକୁ ପୂର୍ବରୁ ଓଡିଶାରୁ କେହି ମନୋନୀତ ହୋଇନଥିବା ବେଳେ ପ୍ରଥମ ଥର ପାଇଁ ଦୁଇ ଦୁଇ ଜଣ ଓଡିଆଙ୍କୁ ଏକାସଙ୍ଗେ ରାଜ୍ୟସଭା ପାଇଁ ରାଷ୍ଟ୍ରପତି ମନୋନୀତ କରିଛନ୍ତି । ତେବେ ପଥର ଶିଳ୍ପୀ ପଦ୍ମ ବିଭୁଷଣ ରଘୁନାଥ ମହାପାତ୍ରଙ୍କ ମନୋନୟନ ନେଇ ଚର୍ଚ୍ଚା ଜୋର୍ ଧରିଛି । ୨୦୧୪ରେ ରଘୁନାଥ ବିଜେଡି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ ମଧ୍ୟ ପରାସ୍ତ ହୋଇଥିଲେ । ଏବେ ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭା ପଠାଇଛନ୍ତି ରାଷ୍ଟ୍ରପତି ।

Advertisment

୨୦୧୪ରେ ରଘୁନାଥଙ୍କ ରାଜ୍ୟସଭା ଯିବା ସ୍ୱପ୍ନ ମଉଳି ଯାଇଥିଲା । ବିଜେଡି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ରଘୁନାଥ ରାଜ୍ୟସଭା ରେସରେ ଥିଲେ । ହେଲେ ଭୋଟ୍ ଗଣିତରେ ପଛରେ ପଡିଯାଇଥିଲେ । ଏବେ ସଂସଦର ଉଚ୍ଚ ସଦନକୁ ଯିବା ପାଇଁ ମନୋନୀତ ହୋଇଛନ୍ତି ରଘୁନାଥ । ରାଷ୍ଟ୍ରପତିଙ୍କ ନିଷ୍ପତିକୁ ରଘୁନାଥ ସମ୍ମାନ ଜଣାଇଛନ୍ତି । ତେବେ ୨୦୧୪ର ଦୁଃଖଦ ଅନୁଭୂତିକୁ ଏଯାଏଁ ଭୁଲିନାହାଁନ୍ତି ଏହି ବିଶିଷ୍ଟ ସ୍ଥପତି । ସେଦିନର ଦୁଃଖ ବଖାଣିବାକୁ ଯାଇ ବର୍ଣ୍ଣନା କରିଛନ୍ତି ମହାଭାରତର ଦ୍ରୌପଦୀ ଉପାଖ୍ୟାନ ।

ଜୁଲାଇ ୧ ତାରିଖ । ମିଶନ ୧୨୦ ପ୍ଲସର ସମୀକ୍ଷା ପାଇଁ ଓଡିଶା ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ରଘୁନାଥ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ବିଜେପିର ସମ୍ପର୍କରୁ ସମର୍ଥନ ଅଭିଯାନରେ ରଘୁନାଥଙ୍କ ସହ ଶାହାଙ୍କ ଭେଟଘାଟ କିନ୍ତୁ ସେତବେଳେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏବେ ରଘୁନାଥଙ୍କୁ ମିଳିଛି ରାଜ୍ୟସଭା ଟିକେଟ୍ । ଯାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ପଥରଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ସହ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି । ଓଡିଶାର ଗର୍ବ ଓ ଗୈାରବ ସୋନାଲ ମାନସିଂହଙ୍କୁ ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ସେପଟେ ରାଜ୍ୟସଭାକୁ ଦୁଇ ଦୁଇ ଜଣ ବିଶିଷ୍ଟ ଓଡିଆ ମନୋନୀତ ହେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ରାଜନୀତିରେ ଓଡିଶାକୁ ମୋଦି କେତେ ପ୍ରାଧାନ୍ୟ ଦେଉଛନ୍ତି ତାର ହିସାବ କିତାବ ଭିତରେ ଏହି ପ୍ରସଙ୍ଗ ହୁଏତ ଏକ ପ୍ରମୁଖ ମୁଦ୍ଦା ପାଲଟିପାରେ ।