କରୋନାରେ ଆଖି ବୁଜିଲେ ଆଉ ଜଣେ ଶିଳ୍ପୀ । ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପରଲୋକ ।

1,193

କନକ ବ୍ୟୁରୋ: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍‌ସରେ ସେ ଆଜି ଅପରାହ୍ନ ୩ଟା ୪୯ରେ ଆଖି ବୁଜିଛନ୍ତି । ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରେ ତାଙ୍କୁ ଭେଣ୍ଟିଲେଟରକୁ ନିଆଯାଇଥିଲା ।

ରଘୁନାଥ ମହାପାତ୍ର ପୁରୀରେ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମଭୂଷଣ ଓ ୨୦୧୩ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମବିଭୂଷଣରେ ସମ୍ମାନୀତ ହୋଇଥିଲେ । ୨୦୧୮ରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଏମ୍‌ସରେ ଭର୍ତ୍ତି ହେବା ପରେ ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱର୍ଗତ ମହାପାତ୍ରଙ୍କ ବଡ଼ ପୁଅଙ୍କ ସହିତ ଫୋନରେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟ ସଂପର୍କରେ ଅବଗତ ହୋଇଥିଲେ ।

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।